ଭୁବନେଶ୍ୱର,୧୩ ଅଗଷ୍ଟ (ହି.ସ)-ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ ରେଳମଣ୍ଡଳ ପକ୍ଷରୁ ବୁଧବାର ଜଟଣୀର ଖୋର୍ଦ୍ଧା ରୋଡରେ ଥିବା ରେଳମଣ୍ଡଳ ମୁଖ୍ୟାଳୟ ଠାରେ ରେଳ ଉପଭୋକ୍ତା ପରାମର୍ଶଦାତା କମିଟି (ଡିଆରୟୁସିସି) ବୈଠକ ଅନୁଷ୍ଠିତ ହୋଇଯାଇଛି ।
ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଆଲୋକ ତ୍ରିପାଠିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ବାଣିଜ୍ୟ ଏବଂ ଶିଳ୍ପ ଚାମ୍ବର, ସାର୍ବଜନୀନ କ୍ଷେତ୍ର ଉଦ୍ୟୋଗ ଯାତ୍ରୀ ସଂଘ, ଗ୍ରାହକ ମଞ୍ଚ ଏବଂ ଅନ୍ୟାନ୍ୟ ହିତାଧିକାରୀ ଗୋଷ୍ଠୀର ପ୍ରତିନିଧିମାନଙ୍କ ସମେତ ବହୁ ବିଶିଷ୍ଟ ଡିଆରୟୁସିସି ସଦସ୍ୟ ଏହି ବୈଠକରେ ଯୋଗ ଦେଇଥିଲେ ।
ମଣ୍ଡଳ ରେଳ ପ୍ରବନ୍ଧକ ଆଲୋକ ତ୍ରିପାଠୀ, ଡିଆରୟୁସିସି ସଦସ୍ୟଙ୍କ ମୂଲ୍ୟବାନ ମତାମତ ଏବଂ ସକ୍ରିୟ ଅଂଶଗ୍ରହଣକୁ ପ୍ରଶଂସା କରି ଯାତ୍ରୀ ସେବା ଗଠନରେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଶଂସା କରିଥିଲେ । ସେ ପ୍ରତିଶ୍ରୁତି ଦେଇଛନ୍ତି ଯେ ବୈଠକ ସମୟରେ ଉପସ୍ଥାପନ କରାଯାଇଥିବା ମୂଲ୍ୟବାନ ପରାମର୍ଶ ଏବଂ ଚିନ୍ତାକୁ ପ୍ରାଥମିକତା ଦିଆଯିବ ଏବଂ ସ୍ଥାନୀୟ ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ଏବଂ ଏହା ସହିତ ରେଳ ବ୍ୟବହାରକାରୀଙ୍କ ପାଇଁ ଉନ୍ନତ ସୁବିଧା ଏବଂ ଉତ୍ତମ ସେବା ପ୍ରଦାନ ସୁନିଶ୍ଚିତ କରାଯିବ ।
ଏହି ବୈଠକରେ ଯାତ୍ରୀଙ୍କ ସହ ଜଡିତ ବିଭିନ୍ନ ପ୍ରସଙ୍ଗରେ ଗଠନମୂଳକ ଆଲୋଚନା ଏବଂ ମତ ବିନିମୟ ହୋଇଥିଲା । ଯାତ୍ରୀ ସୁବିଧା ଏବଂ ସେବା ବୃଦ୍ଧି, ଜନସାଧାରଣଙ୍କ ଦାବିର ସମାଧାନ ଏବଂ ବିକାଶମୂଳକ କାର୍ଯ୍ୟକଳାପ ପାଇଁ ଯୋଜନା ଭଳି ବିଷୟଗୁଡ଼ିକ ସକ୍ରିୟ ଭାବରେ ଆଲୋଚନା କରାଯାଇଥିଲା । ସଦସ୍ୟମାନେ ନୂତନ ଟ୍ରେନ୍ ପ୍ରଚଳନ, ବିଦ୍ୟମାନ ସେବାର ସମ୍ପ୍ରସାରଣ ଏବଂ ଆଞ୍ଚଳିକ ଆବଶ୍ୟକତା ପୂରଣ କରିବା ସହ ଟ୍ରେନ ଗୁଡିକ ପାଇଁ ଅତିରିକ୍ତ ରହଣି ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ପରାମର୍ଶ ଦେଇଥିଲେ ।
ଏହି ବୈଠକରେ ରେଳମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳବାଇ ପ୍ରବନ୍ଧକ ପ୍ରଦିପ କୁମାର ବେହେରା ଏବଂ ଶୁଭ୍ର ଜ୍ୟୋତି ମଣ୍ଡଳଙ୍କ ସମେତ ଖୋର୍ଦ୍ଧା ରୋଡ ରେଳମଣ୍ଡଳର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅଧିବେଶନକୁ ଖୋର୍ଦ୍ଧା ରୋଡ ରେଳମଣ୍ଡଳର ମଣ୍ଡଳ ରେଳ ଉପଭୋକ୍ତା ପରାମର୍ଶଦାତା କମିଟି ସଚିବ ତଥା ବରିଷ୍ଠ ମଣ୍ଡଳ ବାଣିଜ୍ୟିକ ପ୍ରବନ୍ଧକ ଅନୀଲ କୁମାର ଏସ ଙ୍କ ଦ୍ୱାରା ଦକ୍ଷତାର ସହ ସମନ୍ୱୟ କରାଯାଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା