ଧର୍ମଶାଳା, ୧୩ ଅଗଷ୍ଟ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ମହାବିଦ୍ୟାଳୟର ସଂସ୍କୃତ ବିଭାଗ ଓ ସଂସ୍କୃତ ଭାରତୀ ମିଳିତ ଆନୁକୁଲ୍ୟରେ ସଂସ୍କୃତ ସପ୍ତାହ ଉତ୍ସବ ପାଳିତ ହୋଇଯାଇଛି । ମହାବିଦ୍ୟାଳୟ ପରିସରରେ ଏହି ସପ୍ତାହ ଉତ୍ସବର ଆୟୋଜନ କରାଯାଇଥିଲା । ମହାବିଦ୍ୟାଳୟର ସଂସ୍କୃତ ବିଭାଗ ମୁଖ୍ୟ ଡ଼କ୍ଟର ସସ୍ମିତା ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମହାବିଦ୍ୟାଳୟ ଅଧ୍ୟକ୍ଷ ସ୍ୱରୂପାନନ୍ଦ ପଣ୍ଡା ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ । ରାଜଧାନୀ ମହାବିଦ୍ୟାଳୟ ସଂସ୍କୃତ ବିଭାଗର ଅଧ୍ୟାପକ ଡ଼କ୍ଟର ବିଭୂତି ଭୂଷଣ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଂସ୍କୃତ ଭାଷାର ଉନ୍ନତି ଓ ଏହାର ଉପାଦୟତା ସଂପର୍କରେ ଆଲୋକପାତ କରିଥିଲେ । ନୃରସିଂହ ଚୌଧୁରୀ ମହାବିଦ୍ୟାଳୟର ଅଧ୍ୟାପକ ତଥା ସଂସ୍କୃତ ଭାରତୀର ସଦସ୍ୟ ଡ଼କ୍ଟର ଅକ୍ଷୟ କୁମାର ଦତ ମୁଖ୍ୟବକ୍ତା ଭାବେ ଯୋଗଦେଇ ସଂସ୍କୃତ ଭାଷାର ସଚେତନତା ବୃଦ୍ଧି ଓ ଭାଷାର ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ । ସଂସ୍କୃତ ସପ୍ତାହ ଉତ୍ସବର ଏହା ମୂଳ ଆଧାର ବୋଲି ସେ କହିଥିଲେ । ଅଧ୍ୟାପିକା ଆରାଧନା ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ସଂସ୍କୃତ ବିଭାଗର ସମସ୍ତ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ