ବାରିପଦା,୧୪ ଅଗଷ୍ଟ (ହି.ସ.) - ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ଅଗଷ୍ଟରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜସ୍ୱ ଅମଲା ମାନେ ସାମୁହିକ ଛୁଟିରେ ରହି ଆନ୍ଦୋଳନ କରୁଛନ୍ତି। ଗୁରୁବାର ଚତୁର୍ଥ ଦିନରେ ଜିଲ୍ଲାର ସମସ୍ତ ରାଜସ୍ୱ ଅମଲା ମଧ୍ୟ ସାମୁହିକ ଛୁଟିରେ ଅଛନ୍ତି। ଯେ ପର୍ଯ୍ୟନ୍ତ ରାଜ୍ୟ ସରକାର ଦାବୀ ପୂରଣ କରି ବିଜ୍ଞପ୍ତି ପ୍ରକାଶ କରିବେ ନାହିଁ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଜିଲ୍ଲା ଅଧକ୍ଷ କପିଳାସ ବେହେରା, ଜିଲ୍ଲା ସମ୍ପାଦକ ରୂପକ କୁମାର ମହାରଣା, ଜିଲ୍ଲା କାର୍ଯ୍ୟକାରୀ ସଭାପତି ସନ୍ତୋଷ କୁମାର ମହାନ୍ତି, ଉପ ସଭାପତି (ଉପଖଣ୍ଡ)ବାରିପଦା ତପନ କୁମାର ବେହେରା, ଜିଲ୍ଲା ଉପଦେଷ୍ଟା ଅଶୋକ କୁମାର ବେହେରା ଏବଂ ଜିଲ୍ଲା କୋର କମିଟି ସଦସ୍ୟ ପାର୍ଥସାରଥୀ ଦାସ ପ୍ରକାଶ କରିଛନ୍ତି। ଏହି ଆନ୍ଦୋଳନ ସମୟରେ ଜନ ସାଧାରଣଙ୍କ ଯାହା ଅସୁବିଧାର ସମ୍ମୁଖୀନ ହେବେ ସେଥିପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ସଂଘର କର୍ମକର୍ତା ପ୍ରକାଶ କରିଛନ୍ତି। ତେବେ ଆନ୍ଦୋଳନ ଯୋଗୁଁ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ ଠପ ହୋଇ ପଡ଼ିଥିବା ବେଳେ ଲୋକେ ନିରାଶ ହୋଇ ଫେରୁଛନ୍ତି। ଜିଲ୍ଲା ସମ୍ପାଦକ ରୂପକ କୁମାର ମହାରଣା ପ୍ରକାଶ କରିଛନ୍ତି ଯେ, ଜିଲ୍ଲାସ୍ତରୀୟ ରାଜସ୍ୱ ଅମଲା ମାନଙ୍କ ପଦବୀ ପୁନର୍ଗଠନ ଆଳରେ ବର୍ଷ ବର୍ଷ ଧରି ସାଧାରଣ ପଦୋନ୍ନତିକୁ ଅଟକାଇ ରଖାଯିବା ଫଳରେ ସେମାନଙ୍କ ମଧ୍ୟରୁ ଅନେକ ପଦନ୍ନୋତି ପୂର୍ବରୁ ଅବସର ଗ୍ରହଣ କରିସାରିଛନ୍ତି। ସେମାନେ ତାଙ୍କର ନ୍ୟାର୍ଯ୍ୟ ପ୍ରାପ୍ତିରୁ ସବୁଦିନ ପାଇଁ ବଂଚିତ ହୋଇଗଲେ। ଜିଲ୍ଲାସ୍ତରୀୟ ରାଜସ୍ୱ ଅମଲା ମାନେ ଦକ୍ଷତାର ସହ ରାଜ୍ୟ ସରକାରଙ୍କ ପ୍ରତ୍ୟେକ ଜନହିତକର ଯୋଜନା ତୃଣମୂଳ ସ୍ତରରେ ଲୋକମାନଙ୍କ ପାଖରେ ପହଂଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିନ୍ତି। ସିମୀତ ସମୟ ସୀମାରେ ତାଙ୍କର କାର୍ଯ୍ୟଗୁଡ଼ିକୁ କରି ଯୋଗାଇ ଦେଇ ଆସୁଥିଲେ ମଧ୍ୟ ସରକାର ସେମାନଙ୍କୁ ଅଣଦେଖା କରି ଆସୁଛନ୍ତି। ସେମାନଙ୍କର ଦାବି ଗୁଡିକ ମଧ୍ୟରେ ପ୍ରମୁଖ ଦାବିଗୁଡିକ ହେଲା, ଜିଲ୍ଲା ସ୍ତରୀୟ କାର୍ଯ୍ୟରତ ରାଜସ୍ୱ ଅମଲା ମାନଙ୍କ ମୂଳ ଦରମା ଓଆରଏସପି-୨୦୧୭ ନିୟମ ଅନୁଯାଇ ଲେବେଲ୍- ୯ କୁ ବୃଦ୍ଧି କରାଇବା, ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ଅଭିଯୋଗ ବିଭାଗର ସଂକଳ୍ପ ପତ୍ର ସଂଖ୍ୟା :- ୮୮୯୮ ତାରିଖ- ୧୫-୦୩-୨୪ ଅନୁଯାୟୀ ତଥା ସମସ୍ତ ୩୦ ଗୋଟି ଜିଲ୍ଲାପାଳ ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟକୁ ଆଧାର କରି ନୂତନ ପଦବୀ ସୃଷ୍ଟି ଓ ପଦବୀ ପୁନର୍ଗଠନ କରାଯିବା ଇତ୍ୟାଦି ଅଛି। ଏହି ପରିପ୍ରେକ୍ଷୀରେ ଦାବି ପୂରଣ କରିବା ପରିବର୍ତେ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ରାଜସ୍ୱ ଅମଲାଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଧମକ ଦେଇଛନ୍ତି। ମାତ୍ର ଏଥିରେ ରାଜସ୍ୱ ଅମଲା ସଂଘ ପଛଘୁଂଚା ନଦେଇ ତାର ଆନ୍ଦୋଳନକୁ ଆହୁରି ତୀବ୍ରତର କରିବ ବୋଲି ଜିଲ୍ଲା ସଂଘର ଅଧକ୍ଷ କପିଳାଶ ବେହେରା ପ୍ରକାଶ କରିଛନ୍ତି। ଏହି ଦାବିପୂରଣ ପାଇଁ ସଂଘ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ଜନସାଧାରଣ ମାନେ ଏହି ଆନ୍ଦୋଳନ ଫଳରେ ସରକାରୀ ସେବା ପାଇବା ପାଇଁ ଯେଉଁ ଅସୁବିଧାର ସମ୍ମୁଖୀନ ହେବେ ସେଥିପାଇଁ ସେ ଜନସାଧାରଣଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ବାରିପଦା ଉପଜିଲ୍ଲାପାଳ ଏବଂ ଜିଲ୍ଲାସ୍ତରୀୟ ସମସ୍ତ କାର୍ଯ୍ୟାଳୟରେ କାର୍ଯ୍ୟରତ ତଥା ବାରିପଦା ଉପଖଣ୍ଡର ସମସ୍ତ ବ୍ଲକ, ତହସିଲ, ଆଇସିଡିଏସ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ସମସ୍ତ ରାଜସ୍ୱ ଅମଲା ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ