ସୁବର୍ଣ୍ଣପୁର, 15 ଅଗଷ୍ଟ (ହି.ସ.)
ସୁବର୍ଣ୍ଣପୁର ଜିଲ୍ଲାପାଳ ସୋନପୁର ପୌର ପରିଷଦ କାର୍ଯ୍ୟାଳୟ ଗସ୍ତ କରିବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଗତକାଲି ଏହି ଗସ୍ତ ସମୟରେ ପୌର ପରିଷଦର ଅଧ୍ୟକ୍ଷା ତାମସି ତାମସ୍ମିତା ନାୟକ, ନିର୍ବାହୀ ଅଧିକାରୀ ଋଷି ମାଝୀ, ଉପାଧ୍ୟକ୍ଷା ମଲ୍ଲିକା ଦାନୀ ଙ୍କ ସମେତ ସମସ୍ତ ପୌର ପରିଷଦ ସଦସ୍ୟ/ ସଦସ୍ୟା ଓ ପୂର୍ବତନ ନଗରପାଳ କାଇଁରୁ ସ୍ୱାଇଁଙ୍କ ସମେତ ବୁଦ୍ଧିଜୀବୀ ଓ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଗସ୍ତ ସମୟରେ ସୋନପୁର ପୌର ପରିଷଦର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଥା ବସଷ୍ଟାଣ୍ଡ ନିର୍ମାଣ, ସହରର ଆଲୋକିକରଣ ସମ୍ବନ୍ଧୀୟ ସମସ୍ୟା, ସହରର ବୁଲା ଗାଈ ଗୋରୁ ଓ ବୁଲା କୁକୁର ସମ୍ବନ୍ଧୀୟ ଟ୍ରାଫିକ ସମସ୍ୟା, ସୋନପୁର ମହାନଦୀ ଓ ତେଲ ନଦୀ ପାର୍ଶ୍ଵ ରିଙ୍ଗ ରୋଡ ସମ୍ପର୍କୀତ ସମସ୍ୟା, ସହରର ଆବର୍ଜନାର ସଫଳ ସ୍ଥାନାନ୍ତରଣ ଓ ସହରର ଅନ୍ୟ ସମସ୍ୟା ଗୁଡ଼ିକ ସମାଧାନ ଉପରେ ଅଧ୍ୟକ୍ଷା ଓ ଉପସ୍ଥିତ ପରିଷଦର ସଦସ୍ୟ/ ସଦସ୍ୟା, ବୁଦ୍ଧିଜୀବୀ ଓ ସାମ୍ବାଦିକ ମାନଙ୍କ ସହିତ ଜିଲ୍ଲାପାଳଙ୍କ ମଧ୍ୟରେ ଏକ ସଫଳ ଆଲୋଚନା ହୋଇଥିଲା । ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ ପୌର ପରିଷଦର ସମସ୍ୟା ଗୁଡିକର ସମାଧାନ ଓ ପ୍ରତିକାର ପାଇଁ ପାଣ୍ଠିର ନିହାତି ଆବଶ୍ୟକ ଅଟେ ତେଣୁ ପର୍ଯ୍ୟାୟ କ୍ରମେ ସରକାରୀ ପାଣ୍ଠି କିମ୍ବା ପୌର ପରିଷଦର ନିଜସ୍ଵ ପାଣ୍ଠି ଉପଲବ୍ଧ ହେଲେ ସମସ୍ତ ସମସ୍ୟା ଗୁଡିକର ସମାଧାନ କରାଯିବ । ସେ ସୋନପୁର ପୌର ପରିଷଦର ଆଲୋଚିତ ସମସ୍ୟା ଗୁଡିକର ସମଧାନ ଓ ପ୍ରତିକାର ପାଇଁ ଆଗାମୀ ଦିନରେ ପୌର ପରିଷଦର ସମସ୍ତ ୱାର୍ଡ ଅଞ୍ଚଳ ଗସ୍ତ କରି କରିବେ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ସ୍ୱଚ୍ଛତା ରଥ ରେ କାର୍ଯ୍ୟରତ ସ୍ୱଚ୍ଛ ସାଥି ଭଉଣୀ ମାନେ ତାଙ୍କ ସମସ୍ୟା ଜିଲ୍ଲାପାଳ ଙ୍କୁ ଗୁହାରୀ କରିଥିବା ବେଳେ ତୁରନ୍ତ ସମାଧାନ ପାଇଁ ନିର୍ବାହୀ ଅଧିକାରୀଙ୍କୁ ଜିଲ୍ଲାପାଳ କହିଥିଲେ । ପରିଷଦର ସଦସ୍ୟ / ସଦସ୍ୟା ମାନେ ପୌର ପରିଷଦର ଯନ୍ତ୍ରୀ, ଅଫିସ ସହାୟକ ଓ ଅନ୍ୟ କର୍ମଚାରୀ ଅଭାବ ଥିବା ବିଷୟ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆଣି କର୍ମଚାରୀ ନିଯୁକ୍ତି କରାଇବାକୁ ଅନୁରୋଧ କରିଥିଲେ । କର୍ମଚାରୀ ନିଯୁକ୍ତି ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଇବାକୁ ପଦକ୍ଷେପ ନେବେ ବୋଲି ସମସ୍ତଙ୍କୁ ଜଣାଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ