କେନ୍ଦୁଝର, 15 ଅଗଷ୍ଟ (ହି.ସ.) ଚମ୍ପୁଆ ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ବିଜେପିର ବରିଷ୍ଠ ନେତା ଡ.ମୁରଲୀ ଶର୍ମାଙ୍କ ନେତୃତ୍ୱରେ ଚମ୍ପୁଆ,ଯୋଡା, ବଡବିଲ ଓ ବଲାଣୀରେ ‘ହର ଘର ଚିରଙ୍ଗା’ ଅଭିଯାନ ଉତ୍ସାହର ସହ ପାଳିତ ହୋଇଯାଇଛି । ବିଜେପି ପକ୍ଷରୁ ଆୟୋଜିତ ହର ଘର ଚିରଙ୍ଗା ଅଭିଯାନ ଶୋଭାଯାତ୍ରାରେ ସହସ୍ରାଧିକ ମହିଳା ଓ ପୁରୁଷ ଜାତୀୟ ପତାକା ଧରି ଦେଶପ୍ରୀତିର ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦେଖୁବା ପାଇଁ ହଜାର ହଜାର ଜନତା ରାସ୍ତାର ଉଭୟ ପାର୍ଶ୍ଵରେ ରୁଣ୍ଡ ହେବାସହ ଏହା ସାଧାରଣରେ ବେଶ୍ ଆଦୃତ ଲାଭ କରିପାରିଛି । ଜନସାଧାରଣଙ୍କ ମନରେ ଉତ୍ସାହ ଓ ଜାତୀୟତା ଭାବ ଆଣିବାରେ ଏହି ଶୋଭାଯାତ୍ରା ବିଶେଷ ସହାୟକ ହୋଇପାରିଛି ବୋଲି ବିଜେପି ନେତା ମୁରଲୀ ଶର୍ମା କହିଥିଲେ । ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଜାତୀୟ ପତାକା ପ୍ରତି ସମ୍ମାନ ଓ ଜାତୀୟତା ପ୍ରତି ସ୍ଟାଭିମାନ ଏବଂ ଦେଶ ଭକ୍ତିର ଭାବନା, ବିଶ୍ଵାସକୁ ମଜଭୁତ କରିବା ଉଦ୍ଦେଶ୍ୟରେ ଅଗଷ୍ଟ ୧୩ରୁ ୧୫ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଘର, କାର୍ଯ୍ୟାଳୟ, ବ୍ୟାବସାୟିକ ପ୍ରତିଷ୍ଠାନ ଓ ସର୍ବସାଧାରଣ ସ୍ଥାନରେ ଚିରଙ୍ଗା ପତାକା ଉତ୍ତୋଳନ ପାଇଁ ଦେଶବ୍ୟାପୀ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ସମଗ୍ର ଚମ୍ପୁଆ ନିର୍ବାଚନମଣ୍ଡଳୀରେ ଅଭୁତପୂର୍ବ ସଫଳତା ମିଳିଥିବାରୁ ବିଜେପି ନେତା ଡ.ଶର୍ମା ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି I ଦେଶପ୍ରତି ଥିବା ମମତାବୋଧ ସମ୍ପର୍କିତ ପ୍ରୋତ୍ସାହନ ଦେବା ସହ ଦେଶ ସ୍ଵାଧୀନତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସେହି ବୀର ସହିଦମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଏହି ଅଭିଯାନ ପ୍ରତି ଜନସାଧାରଣଙ୍କ ସ୍ଵତଃସ୍ଫୁର୍ତ୍ତ ଭାଗିଦାରୀ ଦେଶପ୍ରୀତିକୁ ଅଧିକ ଶକ୍ତିଶାଳୀ କରିଛି ବୋଲି ଡ.ଶର୍ମା କହିଛନ୍ତି । ବିଜେପି ନେତା ଚନ୍ଦ୍ରଗୁପ୍ତ ପ୍ରସାଦଙ୍କ ନେତୃତ୍ବରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ବଡବିଲ ଠାରେ ଏହି ଶୋଭାଯାତ୍ରା ପାଳିତ ହୋଇଥିଲା ।
ଭାରତ ସ୍ୱାଧୀନତାର ପୂର୍ବଦିନ ଅର୍ଥାତ୍ ଅଗଷ୍ଟ ୧୪ ତାରିଖରେ ଯେଉଁଭଳି ଭାବେ ଅଖଣ୍ଡ ଭାରତକୁ ବିଭାଜନ କରାଯାଇଥିଲା ସେହି ବିଭାଜନ ବୀଭିଷିକାକୁ ମନେପକାଇ ବିଜେପି ନେତା ଡ. ଶର୍ମାଙ୍କ ନେତୃତ୍ୱରେ ଏକ ନୀରବ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଦେଶ ବିଭାଜନ କାରଣରୁ ପ୍ରାଣ ହରାଇଥିବା ଏବଂ ମା’ ମାଟିରୁ ବିସ୍ଥାପିତ ପରିବାରବର୍ଗଙ୍କ ଉଦ୍ଦେଶ୍ୟରେ ସହିଦ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ଡ. ଶର୍ମା ଶ୍ରଦ୍ଧାର୍ଘ୍ୟର ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଅପରେସନ ସିନ୍ଦୂରର ପୁରୋଧା ତଥା ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାର୍ଡ଼କୁ ବଡବିଲସ୍ଥିତ ପି.ଜେ.ସିନେମାହଲରେ ଅଭାସୀ ମାଧ୍ୟମରେ ଦେଖିବା ସହ ଦେଶାତ୍ମବୋଧ ଚଳଚ୍ଚିତ୍ର ‘ଦ୍ୱାର-୨’କୁ ମଧ୍ୟ ସ୍ଥାନୀୟ ଅଞ୍ଚଳବାସୀ ଉତ୍ସାହର ସହ ଦେଖିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ବଡ଼ବିଲର ପୂର୍ବତନ ନଗରପାଳ ଦିଲ୍ଲୀପ ମିଶ୍ର, ଯୋଡର ପୂର୍ବତନ ନଗରପାଳ ଆର.କେ.ଦାସ, ବିଜେପି ନେତ୍ରୀ ଝରଣା ମହାନ୍ତ, କାର୍ତିକ ସାହୁ, ରାଜେଶ ଆଚାର୍ଯ୍ୟ, ସୁଶାନ୍ତ କୁମାର ବେବର୍ଷା, ପାର୍ଥସାରଥୀ ଷଡଙ୍ଗୀ, ମହାଜନ ଚୌଧୁରୀ, ମାନା ମାଝୀ, ଗୌରାଙ୍ଗ ମୁଣ୍ଡାଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଏବଂ ବୁଦ୍ଧିଜୀବୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA