ବାରିପଦା, 16 ଅଗଷ୍ଟ (ହି.ସ.) - ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ଲକ ଅଧ୍ୟକ୍ଷମାନଙ୍କ କ୍ଷମତାକୁ ସଙ୍କୁଚିତ କରାଯାଇଛି। ଯାହାକୁ ବ୍ଲକ ଅଧ୍ୟକ୍ଷ ସଂଘ ପକ୍ଷରୁ ବିରୋଧ କରାଯାଇଛି। ମୟୁରଭଞ୍ଜ ଜିଲ୍ଲା ସଂଘ ପକ୍ଷରୁ ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି। ବାରିପଦାରେ ସମସ୍ତ ବ୍ଲକ ଅଧ୍ୟକ୍ଷ ଓ ଅଧ୍ୟକ୍ଷାମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ବ୍ଲକ ଅଧ୍ୟକ୍ଷ ମାନଙ୍କ କ୍ଷମତାକୁ ସଙ୍କୁଚିତ କରାଯାଇଛି। ବ୍ଲକ କାର୍ଯ୍ୟ ନିମନ୍ତେ ୨୦ଲକ୍ଷ ତଳକୁ ଅନୁମୋଦନ ରାଶି ଅଧ୍ୟକ୍ଷ/ଅଧ୍ଯକ୍ଷା ମାନଙ୍କ ଦସ୍ତଖତକୁ ଉଚ୍ଛେଦ କରାଯାଇଛି। ତାହାକୁ ବିଡ଼ିଓଙ୍କୁ ଅନୁମୋଦନ କରିବାକୁ ଦାୟିତ୍ୱ ଦିଆଯାଇଛି। ପଞ୍ଚାୟତ ସମିତିକୁ ଆସୁଥୁବା ପ୍ରକଳ୍ପର ଅଟକଳ ମୂଲ୍ୟ ୨୦ଲକ୍ଷ ଟଙ୍କାରୁ କମ ଆସିଥାଏ। ତେବେ ପ୍ରକଳ୍ପ ଅନୁମୋଦନରେ ଅଧ୍ୟକ୍ଷ ମାନଙ୍କ କୋଣସି ଭୂମିକା ରହିବ ନାହିଁ। ଯାହାକୁ ବିରୋଧ କରି ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଏବଂ ଅଧ୍ଯକ୍ଷା ଅଣସାମ୍ବିଧାନିକ ନିୟମକୁ ବିରୋଧ କରିଛନ୍ତି। ୭୩ତମ ପଞ୍ଚାୟତିରାଜ ସମ୍ବିଧାନିକ ସଂଶୋଧନରେ ତ୍ରୀସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାକୁ ଯେଉଁ କ୍ଷମତା ପ୍ରଦାନ କରଯାଇଥିଲା। ତାହାକୁ ସମ୍ପୂର୍ଣ ଭାବରେ ସଙ୍କୁଚିତ କରାଯିବାର ପ୍ରୟାସକୁ ନିନ୍ଦା କରିଛନ୍ତି। ଏହାଦ୍ବାରା ଆର୍ଥିକ ଅନିୟମିତତା ହେବା ସହ ଅଞ୍ଚଳର ଉନ୍ନତିରେ ବାଧକ ସାଜିବ। ଜିଲ୍ଲା ପ୍ରଶାସନ ଏବଂ ଜନସାଧାରଣ ମଧ୍ଯରେ ଏକ ବୃହତ ଦୁରତ୍ଵ ସୃଷ୍ଟି ହେବ। ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ରାଜ୍ୟରେ ବିଜେପି ସରକାର ଥିବା ବେଳେ ପଞ୍ଚାୟତ ସ୍ତରରେ ବିଜେଡ଼ି ନେତୃତ୍ୱ ରହିଛି। ତେଣୁକରି ବିଜେପି ସରକାର ଚକ୍ରାନ୍ତ କରି ବିଜେଡ଼ିକୁ ଅଟକାଇବାକୁ ଯୋଜନା କରିଛନ୍ତି। ଉକ୍ତ ନିୟମରେ ପୁନଃବିଚାର କରି ପୂର୍ବର ପଞ୍ଚାୟତରାଜ ବ୍ୟବସ୍ଥାକୁ ଅକ୍ଷୁର୍ଣ୍ଣ ରଖିବାକୁ ଅନୁରୋଧ କରିଛନ୍ତି। ନଚେତ ଆଗକୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ