ମାଲକାନଗିରି, ୧୬ ଅଗଷ୍ଟ (ହି.ସ.)ମାଲକାନଗିରି ଜିଲ୍ଲା କାଲିମେଳା -ମୋଟୁ ଜାତୀୟ ରାଜପଥ ର ଏମଭି ୯୬ ଗ୍ରାମ ରେ ଥିବା ପୋଲ ଉପରେ ଚାଲୁଛି ୩ ଫୁଟର ପାଣି । ଏହି ବ୍ରିଜ୍ ବୁଡ଼ିବା ଫଳରେ କାଲିମେଳା-ମୋଟୁ ୩୨୬ ଜାତୀୟ ରାଜପଥରେ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇ ଯାଇଛି । ପୋଲର ଉଭୟ ପଟେ ଅଟକି ରହିଛି ଅନେକ ଗାଡ଼ି । ପୋଲ ଉପରେ ବନ୍ୟା ପାଣି ଚାଲୁଥିବାରୁ ପାରି ହେବାକୁ ଡର ଲାଗୁଛି । ସବୁବେଳେ ଲଗାଣ ବର୍ଷା ହେଲେ ଏହି ପୋଲ ବନ୍ୟା ପାଣିରେ ବୁଡିଯାଏ । ବିଡ଼ମ୍ବନାର କଥା ହେଲା ଏହି ନାଳ ଉପରେ ଆଉ ଏକ ବଡ଼ ବ୍ରିଜ୍ ନିର୍ମାଣଧିନ ଅବସ୍ଥାରେ ପଡ଼ି ରହିଛି । ୩ ବର୍ଷ ହେଲାଣି ଏହି ନୂତନ ବ୍ରିଜର କାମ ଆରମ୍ଭ ହୋଇଛି ହେଲେ ଶେଷ ହୋଇ ପାରି ନାହିଁ । ଫଳରେ ଏଠାକାର ଲୋକ ବର୍ତ୍ତମାନ ଏହି ଛୋଟ ପୋଲ ଉପରେ ନିର୍ଭର କରୁଛନ୍ତି । ହେଲେ ସାମାନ୍ୟ ବର୍ଷାରେ ଏହି ପୋଲ ଏଭଳି ବୁଡ଼ିଯାଉଛି । ଆଉ ସ୍ଥାନୀୟ ଲୋକଙ୍କ ଯାତାୟତରେ ବାଧା ଉପୁଜୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ