ବାରିପଦା, 16 ଅଗଷ୍ଟ (ହି.ସ.) - ଯୁବତୀଙ୍କୁ ଦୀର୍ଘ ଦିନ ଧରି ନିଜ ଘରେ ରଖି ଯୌନ ନିର୍ଯାତନା ଦେଇ ଆସୁଥିବା ନେଇ ଅଭିଯୋଗ ହୋଇଛି। ସରକାରୀ ବାବୁଙ୍କ କଳା କାରନାମା ପଦାରେ ପଡ଼ିଯିବ ସେଥିପାଇଁ ତାଙ୍କ ସ୍ତ୍ରୀ ଯୁବତୀଙ୍କୁ ଘରୁ କୁଆଡେ ଛାଡ଼ୁନଥିଲେ। ଏନେଇ ପୀଡିତା ଯୁବତୀଙ୍କ ଭଞ୍ଜପୁର ଥାନାରେ ଅଭିଯୋଗକ୍ରମେ ମାମଲା ରୁଜୁ କରାଯାଇଛି। ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ବାରିପଦା ରେଡ଼ିଓ ଷ୍ଟେସନରେ ଟେକ୍ନିସିଆନ ଭାବେ କାର୍ଯ୍ୟରତ ଜଣେ ବ୍ୟକ୍ତିଙ୍କ ନାଁରେ। ଅଭିଯୋଗ ଅନୁଯାୟୀ, ଗତ ୩ ବର୍ଷ ତଳେ ମୋରଡା ଅଞ୍ଚଳରୁ ଜଣେ ନାବାଳିକାଙ୍କୁ ଘରେ ରଖି ପାଠ ପଢ଼ାଇବା ଓ ବଡ଼ ହେବା ପରେ ଉପଯୁକ୍ତ ପାତ୍ର ଦେଖି ବିବାହ କରାଇଦେବାର ମିଛ ପ୍ରତିଶୃତି ଦେଇ ବାବୁ ଜଣକ ପିଡ଼ିତାଙ୍କୁ ତାଙ୍କ ଘରୁ ନେଇ ଆସିଥିଲେ। ହେଲେ ନାବାଳିକାକୁ ପାଠ ପଢ଼ାଇବା ବଦଳରେ ଘରେ ଚାକରାଣୀ କରି ରଖିଥିଲେ । ଏଥିସହିତ ତାଙ୍କୁ ଯୌନ ଶୋଷଣ ମଧ୍ୟ କରୁଥିଲେ। ଏବେ ନାବାଳିକାଙ୍କୁ ୧୮ବର୍ଷ ପୁରି ସାବାଳିକା ହେଲେଣି। ଯୁବତୀ ଜଣଙ୍କ ନିର୍ଯ୍ୟାତନା ସହି ନପାରି ସେଠାରୁ ପଳାଇ ଆସି ନିଜ ଘରେ ସବୁ କଥା ପ୍ରକାଶ କରିଥିଲେ। ଯାହାକୁ ନେଇ ପରିବାର ଲୋକେ ଯୁବତୀଙ୍କୁ ନେଇ ମୋରୋଡା ଥାନାରେ ପ୍ରଥମେ ଏତଲା ଦେଇଥିଲେ। ମୋରୋଡା ପୋଲିସ ଘଟଣା ଘଟିଥିବା ବାରିପଦାର ଭଞ୍ଜପୁର ଥାନାକୁ ପଠାଇ ଦେଇଥିଲେ। ଏନେଇ ଜନୈକା ଯୁବତୀଙ୍କ ବାପାଙ୍କର ଲିଖିତ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ଭଞ୍ଜପୁର ଥାନା ଘଟଣାର ତଦନ୍ତ ଜାରି ରଖିଛନ୍ତି। ତେବେ ଏହିପରି ଏକ ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ