ଭୁବନେଶ୍ୱର,୧୬ ଅଗଷ୍ଟ (ହି.ସ.) - ମହାନ୍ ରାଷ୍ଟ୍ରପୁରୁଷ, ଦୂରଦ୍ରଷ୍ଟା, ଭାରତରତ୍ନ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଜି ୭ମ ତମ ବାର୍ଷିକ ପୂଣ୍ୟତିଥିରେ ରାଜ୍ୟ ବିଜେପି ନେତୃବୃନ୍ଦ ଓ କାର୍ଯ୍ୟକର୍ତାଙ୍କ ସମେତ ସାରା ଓଡିଶାବାସୀ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ଏହି ଅବସରରେ ରାଜ୍ୟ ସଭାପତି ମନମୋହନ ସାମଲ ଭୁବନେଶ୍ୱରରେ ଏମ୍ସ ହସ୍ପିଟାଲ ପରିସରସ୍ଥିତ ବାଜପେୟୀଜିଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।
ରାଜନୀତିର ରଣବୀର, ଶବ୍ଦର ଶିଳ୍ପୀ ଭାରତରତ୍ନ ଅଟଳଜୀ “ସଡକ କ୍ରାନ୍ତିର ଜନକ” ଭାବେ ପରିଚିତ । ଅଟଳଜୀଙ୍କ ଶାସନ କାଳରେ ଦେଶରେ ଗମନାଗମନ କ୍ଷେତ୍ରରେ ହୋଇଥିଲା ଯୁଗାନ୍ତକାରୀ ପରିବର୍ତନ । ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନା ହେଉ କି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଭାରତକୁ ନୂଆ ଦିଶା ଦେଇଛନ୍ତି ଅଟଳଜୀ । ଓଡିଶାକୁ ଜାତୀୟ ରାଜପଥରେ ୧୫୦୦ କିଲୋମିଟରରୁ ୩୪୦୦ କିଲୋମିଟରରେ ପହଁଚାଇଥିଲେ । ଅଟଳଜୀ ଭାରତବର୍ଷର ଐତିହାସିକ ପରିବର୍ତନ କରିଥିଲେ । ଭାରତର ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଜୀ କେବଳ ଜଣେ ରାଜନୀତିଜ୍ଞ ନଥିଲେ ସେ ଜଣେ ଯୁଗଜନ୍ମା ଓ ରାଷ୍ଟ୍ରନୀତିଜ୍ଞ ଥିଲେ । ଭାରତର ବିକାଶ ଅଗ୍ରଗତିକୁ ପ୍ରୋତ୍ସାହିତ କରି ବ୍ୟାପକ କ୍ଷେତ୍ରରେ ଦେଶକୁ ଏକବିଂଶ ଶତାବ୍ଦୀକୁ ଘେନି ଯିବାର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ୧୯୯୯ ମହାବାତ୍ୟା ପରେ ଓଡିଶାବାସୀଙ୍କ ଦୁର୍ଦ୍ଦୀନରେ ବାଜପେୟୀଜୀଙ୍କ ସାହାଯ୍ୟ ଓ ସମର୍ଥନ ଅବିସ୍ମରଣୀୟ । ଗ୍ରାମ ସଡକ ଯୋଜନା, ଗାଁ ଗାଁରେ ମୋବାଇଲ ସଂଯୋଗ କରାଇବା, ଅନ୍ତୋଦୟ ଏବଂ ଅନ୍ନପୂର୍ଣ୍ଣା ଯୋଜନାରେ ଗରୀବଙ୍କ ପାଖରେ ଅନ୍ନ ପହଂଚାଇବାରେ ସ୍ୱର୍ଗତଃ ବାଜପେୟୀଙ୍କ ଯୋଗଦାନ ଅତୁଳନୀୟ । ଭାରତବର୍ଷର ଯୁବପିଢୀ ସ୍ୱର୍ଗତଃ ଅଟଳଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଉଚିତ୍ । ଅଟଳଜୀ ଚିର ନମସ୍ୟ ଓ ଆମ ସମସ୍ତଙ୍କ ପ୍ରେରଣାର କେନ୍ଦ୍ରବିନ୍ଦୁ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା