ବାରିପଦା, 17 ଅଗଷ୍ଟ (ହି.ସ.) - ଦିନକୁ ଦିନ ବେଆଇନ ଗୋଚାଲାଣ ମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଯାହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ ଜାରି ଥିବା ବେଳେ ପୁଣି ବେଆଇନ ଗୋଚାଲାଣ ବେଳେ ୫ଟି ଗୋରୁ ଉଦ୍ଧାର ହୋଇଛନ୍ତି। ବାରିପଦାରେ ବେଆଇନ ଗୋଚାଲାଣକୁ ରୋକିବାରେ ବାରିପଦା ସଦର ଥାନା ପୁଲିସକୁ ସଫଳତା ମିଳିଛି। ଗୋରୁ ଉଦ୍ଧାର କରିବା ସହ ଟେମ୍ପୋ ଜବତ କରିଛନ୍ତି। ଏହାସହିତ ଗାଡି ଚାଳକ ବଡ଼ସାହି ଥାନା ଅନ୍ତର୍ଗତ ବାଲିଯୋଡ଼ା ଗ୍ରାମର ପ୍ରଧାନ ସିଂ(୨୯)କୁ ଗିରଫ କରି ପୁଲିସ ତଦନ୍ତ ଜାରି ରଖିଛନ୍ତି। ରାତିରେ ବାରିପଦା ନିକଟରେ ପୁଲିସ ଦ୍ଵାରା ପେଟ୍ରୋଲିଂ ଜାରି ଥିଲା। ଉକ୍ତ ସମୟରେ ଏକ ପିକଆପ ଗାଡିରେ ଗୋଚାଲାଣ ହେଉଥିବା ନେଇ ପୁଲିସ ବିଶ୍ଵସ୍ଥସୂତ୍ରରୁ ଖବର ପାଇ ମହୁଳିଆ ଅଞ୍ଚଳରେ ଅଟକାଇ ଥିଲେ। ପିକଅପ ଡ଼ଲାରେ ୫ଗୋଟି ଗୋରୁକୁ ଅମାନବୀୟ ଭାବେ ନେଉଥିବା ବେଳେ ଏନେଇ କୋଣସି କାଗଜପତ୍ର ମଧ୍ୟ ଦେଖାଇ ପାରିନଥିଲେ। ପୁଲିସ ବେଆଇନ ଭାବେ ଗୋରୁ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲା। ବାରିପଦା ସଦର ଥାନା ପୁଲିସ ଦ୍ଵାରା ଅଧିକ ତଦନ୍ତ ଜାରି ରହିଛି। ତେବେ ଗୋରୁ ଗୁଡ଼ିକ ମୟୂରଭଞ୍ଜ ଜିଲ୍ଲା ଦେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବାର ନେଇ ସନ୍ଦେହ କରାଯାଉଛି। ଏହାର କିଙ୍ଗପିନକୁ ଧରିବାକୁ ପୁଲିସ ପକ୍ଷରୁ ତଦନ୍ତ କରାଯାଉଛି। ଉଦ୍ଧାର ଗୋରୁକୁ ଗୋଶାଳାରେ ପଠାଇବା ବ୍ୟବସ୍ଥା କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ