କେନ୍ଦୁଝର, 17 ଅଗଷ୍ଟ (ହି.ସ.)
ଯାଦବ ସମାଜର ସଂସ୍କୃତି ପରମ୍ପରା ଓ ଐତିହ୍ୟକୁ ଉଜ୍ଜୀବିତ କରିବା ପାଇଁ କେନ୍ଦୁଝର ଜିଲ୍ଲା ଯାଦବ ମହାସଭା ତରଫରୁ ଜିଲ୍ଲା ସଭାପତି ପ୍ରଦୀପ କୁମାର ବାରିକଙ୍କ ବାସଭବନରେ ଜନ୍ମାଷ୍ଟମୀ ତଥା ନନ୍ଦୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଯାଦବ ମହାସଭା ଉପଦେଷ୍ଟା ଆଚାର୍ଯ୍ୟ ଦାଶରଥି ପ୍ରଧାନ, କ୍ଷେତ୍ରବାସୀ ମହାକୁଡ ଓ ସଦର ବ୍ଲକ ଯାଦବ ସମିତି କୋଷାଧ୍ୟକ୍ଷ ପ୍ରସନ୍ନ କୁମାର ଦାସଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ଏବଂ ହରିଚନ୍ଦନପୁର ବ୍ଲକ ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ମାର୍କଣ୍ଡ ବେହେରାଙ୍କ ଅଧ୍ୟକ୍ଷତାରେ ପରିଚାଳିତ ସଂକୀର୍ତ୍ତନ ମଣ୍ଡଳୀର ସହଯୋଗରେ ଜଦୂପତି ଭଗବାନ ଶ୍ରୀକୃଷ୍ଣଙ୍କ ଧରାବତରଣ ମହୋତ୍ସବ ଯଥାବିଧି ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନ ଭାଗବତ ଦଶମ ସ୍କନ୍ଧ ଚତୁର୍ଥ ଅଧ୍ୟାୟ କୃଷ୍ଣଜନ୍ମ ପ୍ରସଙ୍ଗ ପାଠ କରି ଥିଲେ ଏବଂ ବରିଷ୍ଠ ଯାଦବ ପ୍ରଶାନ୍ତ କୁମାର ମହାପାତ୍ର ଓ ତାଙ୍କ ସହଧର୍ମିଣୀ ମୀରା ମହାପାତ୍ର ବସୁଦେବ ତଥା ଦେବକୀ ଅଭିନୟ କରିଥିଲେ। ବାଳଗୋପାଳଙ୍କୁ ନେଇ ବସୁଦେବଙ୍କ ଗୋପପୁର ଯାତ୍ରା ବିଶେଷ ଆକର୍ଷଣୀୟ ହୋଇଥିଲା।
୧୬ତାରିଖ ଦିବା ୧୦ଘଟିକାରେ ଅଗଣିତ ଗୋପାଳ ଗୋପାଳୁଣିଙ୍କ ସମାବେଶରେ ନନ୍ଦ ରାଜାଙ୍କ ଉଆସରେ ନନ୍ଦଉତ୍ସବ ଅନୁଷ୍ଠିତ ହୋଇଥିଲା । ଆଚାର୍ଯ୍ୟ ଦାଶରଥି ପ୍ରଧାନ ଭାଗବତ ଦଶମ ସ୍କନ୍ଧ ଷଷ୍ଠ ଅଧ୍ୟାୟ ନନ୍ଦ ଉତ୍ସବ ପ୍ରସଙ୍ଗ ପାଠ କରିଥିଲେ ଏବଂ ସଭାପତି ପ୍ରଦୀପ କୁମାର ବାରିକ ଓ ତାଙ୍କ ସହଧର୍ମିଣୀ ପୂରବି ବାରିକ୍ ନନ୍ଦ ରାଜା ଓ ମହାରାଣୀ ଯଶୋଦା ଅଭିନୟ କରି ନନ୍ଦଉତ୍ସବର ବିଭିନ୍ନ ଲୀଳା ରସ ଆସ୍ଵାଦନ କରାଇଥିଲେ। ଯାଦବ ସଂସ୍କୃତି ଓ ପରମ୍ପରାର ପ୍ରତୀକ ଲଉଡି ଖେଳ ଓ କୀର୍ତ୍ତନ ମଣ୍ଡଳୀ ସହିତ ଜିଲ୍ଲାର କୋଣ ଅନୁକୋଣରୁ ଆସିଥିବା ସହସ୍ରାଧିକ ଯାଦବ ଭାଇ ଭଉଣୀଙ୍କ ସମାବେଶରେ ବାଳଗୋପାଳଙ୍କ ନଗର ପରିକ୍ରମା ଅନୁଷ୍ଠିତ ହୋଇଥିଲା । ବିରାଟ ଯାଦବ ଶୋଭାଯାତ୍ରା ସହରରେ ହଇଚଇ ସୃଷ୍ଟି କରିବା ସହିତ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲା। ପରିଶେଷରେ ଯାଦବ ସମାଜର ବୟୋଜ୍ୟେଷ୍ଠ ଜାତି ପ୍ରେମୀ ଯାଦବ ମାନଙ୍କୁ ଗୋପପୁର ଯାଦବ ଦରବାରରେ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ମହୋତ୍ସବରେ ଉପଦେଷ୍ଟା ପୁରୁଷୋତ୍ତମ ଦାସ ,କାର୍ଯ୍ୟକାରୀ ସଭାପତି ସଂଜୀବ ପଲେଇ, ଜିଲ୍ଲା ସଂସ୍କୃତି ବିଭାଗ ଜିଲ୍ଲା ସଂଯୋଜକ ତଥା ଯୋଡା ସଭାପତି ଦଶରଥ ବାରିକ , ଜିଲ୍ଲା ମହିଳା ମୋର୍ଚ୍ଚା କାର୍ଯ୍ୟକାରୀ ସଭାନେତ୍ରୀ ମମତା ସିଂ,ଉପ ସଭାପତି ପ୍ରଫୁଲ୍ଲ କୁମାର ପ୍ରଧାନ,ବିଶ୍ଵନାଥ ବାରିକ୍, ତ୍ରିଲୋଚନ ପଲେଇ ,ହରେକୃଷ୍ଣ ପଲେଇ, ବିର ସିଂ, ସାଧାରଣ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ନାୟକ, ସହକାରୀ ସମ୍ପାଦକ ତଥା ସଦର ବ୍ଲକ ସଭାପତି ଅକ୍ଷୟ କୁମାର ଦାସ ,କାର୍ଯ୍ୟାଳୟ ସମ୍ପାଦକ କାର୍ତ୍ତିକ ଦାସ,କୋଷାଧ୍ୟକ୍ଷ ରାଜେନ୍ଦ୍ର ମହାକୁଡ, ସଂଗଠନ ସମ୍ପାଦକ ଜିତେନ୍ଦ୍ର ବେହେରା, ରମାକାନ୍ତ ପ୍ରଧାନ ,କୁଞ୍ଜ ବିହାରୀ ପ୍ରଧାନ, ଶଶିଭୂଷଣ ଦାସ, ମନ୍ମଥ ଘଣା, ସଂସ୍କୃତି ବିଭାଗ ଉପସଭାପତି ମାର୍କଣ୍ଡ ଗିରି ସମ୍ପାଦକ ରଞ୍ଜନ ବାରିକ ଓ ପ୍ରମୋଦ ବେହେରା,ବ୍ଲକ ସଭାପତି ଶୁକଦେବ ମହାକୁଡ,ଡକ୍ଟର ସୁମନ୍ତ ଗିରି ଭୋଳାନାଥ ବାରିକ୍ , କେଦାରନାଥ ଆରୁକ, ଆନନ୍ଦପୁର ବ୍ଲକ କାର୍ଯ୍ୟକାରୀ ସଭାପତି ରମେଶ ଚନ୍ଦ୍ର ନାହାକ,ଘଟଗାଁ ସଂଗଠନ ସମ୍ପାଦକ ମକରଧ୍ବଜ ବେହେରା, ପୌରାଞ୍ଚଳ ସଭାପତି ସୁଶାନ୍ତ କୁମାର ବାରିକ ଓ ଅଜୟ କୁମାର ଦାସ , ସମ୍ପାଦକ ସଞ୍ଜୁ ଦାସ ପ୍ରମୁଖ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA