ମାଲକାନଗିରି, ୧୭ ଅଗଷ୍ଟ (ହି.ସ.)
ରାଜ୍ୟର ସମସ୍ତ ବିଭାଗର କର୍ମଚାରୀ ନିୟମିତ ଥିବାବେଳେ କେବଳ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ମାନେ ହିଁ ଯୋଜନାଭିତ୍ତିକ ଭଳି ଗୋଟିଏ କଳୁଷିତ ପ୍ରଥାରେ ସଢୁଛନ୍ତି । ଯାହାକୁ କି ଚଳିତ ସରକାରଙ୍କ ଦ୍ଵାରା ଗଠିତ କମିଟିରେ ଥିବା ଅଧିକାରୀ ହୃଦୟଙ୍ଗମ କରିବା ସହ ଏକ ଐତିହାସିକ ପରିବର୍ତ୍ତନ ଆଣିବା ନିମନ୍ତେ ବିଧାନସଭା କମିଟି ଗତ ତା ୦୨.୦୮.୨୦୨୫ ରିଖ ଦିନ ଚିଠା ନଂ – ୨୧୨୬୮ ରେ କନିଷ୍ଠ ଶିକ୍ଷକ / ଶିକ୍ଷୟତ୍ରୀ (ଯୋଜନାଭିତ୍ତିକ) ମାନଙ୍କୁ ନିୟମିତ କରିବା, ଶିକ୍ଷା ବ୍ୟବସ୍ଥାରେ ଆରମ୍ଭରୁ ନିୟମିତ ଜରିଆରେ ନିଯୁକ୍ତି ଦେବା ତଥା ୪୪,୦୦୦ ନୂତନ ଶିକ୍ଷକ/ଶିକ୍ଷୟିତ୍ରୀ ପଦବୀ ସୃଷ୍ଟି କରିବା ସହ ପୁରୁଣା ଶିକ୍ଷକ ମାନଙ୍କର ଚୁକ୍ତିଭିତ୍ତିକ ସମୟକୁ ମୂଳ ଚାକିରୀ ସମୟ ଅବଧି ଭିତରେ ଗଣନା କରିବା ନିମନ୍ତେ ସୁପାରିଶ କରିଥିଲେ ଏବଂ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କ ଅନୁମୋଦନ କ୍ରମେ ଗଣଶିକ୍ଷା ବିଭାଗଙ୍କ ଦ୍ଵାରା ଏହି ବିଜ୍ଞପ୍ତି ଜାରି କରାଯାଇଥିଲା। ସରକାରଙ୍କ ଏଭଳି ପଦକ୍ଷେପ ଶିକ୍ଷକ ମହଲରେ ନୂତନ ଆଶା ସଂଚାର କରିଥିଲା । କିନ୍ତୁ ଅତ୍ୟନ୍ତ ଦୁଃଖ ଓ ପରୀତାପର ବିଷୟ ଏହି ଯେ, ଗତ ତା ୦୭.୦୮.୨୦୨୫ ରିଖ ଦିନ ଚିଠା ନଂ – ୨୧୯୦୯ ଆଧାରରେ ବିଭାଗ ଏହି ଚିଠାକୁ ଉପଯୁକ୍ତ ସ୍ତରରେ ଅନୁମୋଦିତ ହୋଇନାହିଁ ଦର୍ଶାଇ ପ୍ରତ୍ୟାହାର କରିନେଇଛନ୍ତି । ଯାହାକି କନିଷ୍ଠ ଶିକ୍ଷକ/ଶିକ୍ଷୟତ୍ରୀଙ୍କର ସାମ୍ବିଧାନିକ ତଥା ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରୁଥିବା ସହ ସାମ୍ପ୍ରତିକ ସମୟରେ ମଧ୍ୟ ଗୋତିପ୍ରଥା ଯୁକ୍ତ ସାମନ୍ତବାଦୀ ଚିନ୍ତାଧାରା ଉଦ୍ଜୀବିତ ରହିଥିବା ଅନୁମେୟ ହେଉଛି ।
ଏହି ପରିପ୍ରେକ୍ଷୀରେ ମାଲକାନଗିରି ଜିଲ୍ଳାରେ କାର୍ଯ୍ୟରତ ସମସ୍ତ କନିଷ୍ଠ ଶିକ୍ଷକ ମାନେ ଏକ ଶୋଭାଯାତ୍ରାରେ ଆସି ସେମାନଙ୍କ ନାର୍ଯ୍ୟ ଦାବୀ ତାଙ୍କୁ ନିୟମିତ କରିବା ନିମନ୍ତେ ଏକ ଦାବୀ ପତ୍ର, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଗତକାଲି ମାଲକାନଗିରି ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଜରିଆରେ ପ୍ରଦାନ କରିଛନ୍ତି!
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ