ଭୁବନେଶ୍ୱର, ୧୭ ଅଗଷ୍ଟ (ହି.ସ.)- ଓଡ଼ିଶାରେ ବିଜେପି ଶାସନକୁ ଆସିବା ପରେ ଅନ୍ୟ ରାଜ୍ୟମାନଙ୍କ ପରି ଆମ ରାଜ୍ୟକୁ ମଧ୍ୟ ଆୟୁଷ୍ମାନ ଯୋଜନାରେ ସାମିଲ କଲେ। ତେବେ ପୂର୍ବର ବିଜେଡି ସରକାରଙ୍କ ବିଏସ୍କେୱାଇରେ ଯେଉଁସବୁ ଅସୁବିଧା ଥିଲା, ତାହା ଆୟୁଷ୍ମାନ ଓ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାରେ ବହୁଗୁଣିତ ହୋଇଛି ସିନା, ରାଜ୍ୟବାସୀଙ୍କର କୌଣସି ଲାଭ ହୋଇନାହିଁ ବୋଲି ପିସିସି ସଭାପତି ଭକ୍ତଚରଣ ଦାସ ପ୍ରକାଶ କରିଛନ୍ତି।
ରବିବାର କଂଗ୍ରେସ ଭବନରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଦାସ କହିଛନ୍ତି, ବିଏସ୍କେୱାଇ ପରିସରଭୁକ୍ତ ହସପିଟାଲ ସଂଖ୍ୟା ମାତ୍ର ୯୦୦ରେ ସୀମିତ ଥିଲାବେଳେ ଆୟୁଷ୍ମାନ ଯୋଜନାରେ ସାମିଲ ହେଲେ ରାଜ୍ୟବାସୀଙ୍କୁ ଦେଶବ୍ୟାପୀ ୨୯ ହଜାର ବଡ଼ବଡ଼ ହସପିଟାଲରେ ସ୍ୱାସ୍ଥ୍ୟସେବା ମିଳିବ ବୋଲି କୁହାଯାଇଥିଲା। ପରିବାର ପିଛା ବର୍ଷକୁ ୫ ଲକ୍ଷ ଟଙ୍କା, ମହିଳାଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କା ଘୋଷଣା କରାଯାଇଥିଲା। ରାଜ୍ୟ ବାହାରେ ମଧ୍ୟ ଏହି ସ୍ୱାସ୍ଥ୍ୟସେବା ଉପଲବ୍ଧ ହେବାକୁ ଥିବାରୁ ଲୋକେ ଏହାକୁ ନେଇ ବହୁତ ସ୍ୱପ୍ନ ଦେଖିଥିଲେ। ଅଥଚ ବର୍ଷେ ମଧ୍ୟରେ ଏହାର କାର୍ଯ୍ୟକାରିତାକୁ ଅନୁଧ୍ୟାନ କଲେ ନିରାଶ ହେବାକୁ ପଡ଼ୁଛି ବୋଲି ଶ୍ରୀ ଦାସ କ୍ଷୋଭପ୍ରକାଶ କରିଛନ୍ତି। ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା ହିଁ ତ୍ରୁଟିପୂର୍ଣ୍ଣ ରହିଛି; ଓଟିପି ଟାଇମ୍-ଆଉଟ, ଆଧାର ବିଫଳତା, ଫଟୋ ଅପ୍ଲୋଡ୍ ରେ ଅସୁବିଧା ରୋଗୀଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରୁଥିବା ସେ ଅଭିଯୋଗ କରିଛନ୍ତି। ଦାମୀ ଚିକିତ୍ସା ବିଳମ୍ବିତ ହେବା, କ୍ଲେମ୍-ସେଟଲମେଣ୍ଟ ବିଳମ୍ବିତ ହେବା, ମୋଟ ଚିକିତ୍ସା ଖର୍ଚ୍ଚ ସୁବିଧା ବିଏସ୍କେୱାଇ ଅପେକ୍ଷା ୧୫-୨୦% କମ୍ ହେବା ଦ୍ୱାରା କାହାର ଲାଭ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି।
ଗୋଟିଏ ମୋବାଇଲ ନମ୍ବରରେ ୭.୫ ଲକ୍ଷ ହିତାଧିକାରୀଙ୍କ ନାମ ଥିବା ଦର୍ଶାଇଥିଲେ ସିଏଜି। ଗୋଟିଏ ଗୋଟିଏ ପରିବାରରେ ୧୧-୨୦୦ ସଦସ୍ୟ ଥିବା ମଧ୍ୟ ଦର୍ଶାଯାଇଛି ବୋଲି ସିଏଜି ଦର୍ଶାଇଛନ୍ତି। ମୃତକଙ୍କୁ ରୋଗୀ ଦର୍ଶାଇ ଅର୍ଥ ଚଳୁ କରାଯାଇଛି। ହସପିଟାଲରେ ମୃତ୍ୟୁ ପରେ ମଧ୍ୟ ରୋଗୀଙ୍କ ନାମରେ ନୂଆ ଚିକିତ୍ସା ଦର୍ଶାଯାଇଛି। ଅନେକ ପଂଜୀକୃତ ହସପିଟାଲରେ ସର୍ବନିମ୍ନ ଭିତିଭୂମି, ଉପକରଣାଦି ଓ ମେଡିକାଲ ଷ୍ଟାଫ୍ ନ ଥିବା ସିଏଜି ନିଜ ରିପୋର୍ଟରେ ଦର୍ଶାଇଛନ୍ତି।ଅଗ୍ନିଶମ, ବାୟୋ-ମେଡିକାଲ ବର୍ଜ୍ୟ ପରିଚାଳନା, ପ୍ରଦୂଷଣ ଆଦି ପାଇଁ ବାଧ୍ୟତାମୂଳକ ବ୍ୟବସ୍ଥା ନ ଥିବା ଅନେକ ହସପିଟାଲ ଏହି ଆୟୁଷ୍ମାନ ତାଲିକାରେ ସ୍ଥାନ ପାଇଛନ୍ତି।ଜାତୀୟ ସ୍ତରରେ ୧ ଲକ୍ଷ ୨୧ ହଜାର କୋଟି ଟଙ୍କା ପଇଠ ହୋଇପାରିନାହିଁ; ବକେୟା ରହିଛି। ଓଡ଼ିଶାରେ ୨ ହଜାର ୩୪ କୋଟି ଟଙ୍କା ଦେୟ ବକେୟା ରହିଛି। ସିଏଜିର ରିପୋର୍ଟକୁ ଗୁରୁତ୍ୱ ଦେଇ କାର୍ଯ୍ୟାନୁଷ୍ଠାନ କରିବାକୁ ଶ୍ରୀ ଦାସ ଦାବି କରିଛନ୍ତି।
ସରକାରୀ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦିଆଯାଉ; ପିଏଚ୍ସି, ସିଏଚ୍ସି ଇତ୍ୟାଦିର ସ୍ତର ବୃଦ୍ଧି ହେଉ ବୋଲି ସେ ଦାବି କରିଛନ୍ତି। ବେସରକାରୀ-ପିପିପି ମୋଡ୍ ପ୍ରୀତିରୁ ସରକାର ଓହରନ୍ତୁ। କର୍ପୋରେଟ୍ ଢାଂଚା ଉପରେ ମାତ୍ରାଧିକ ନିର୍ଭରଶୀଳତା ଓ ଆଉଟ୍?ସୋର୍ସିଂରୁ ମୋହଭଙ୍ଗ ଜରୁରି ବୋଲି ସେ କହିଛନ୍ତି। ଚିକିତ୍ସାର ପରିସର ବ୍ୟାପକ ହେଉ; ମାନସିକ ରୋଗୀ ଓ ବହିର୍ବିଭାଗ ରୋଗୀଙ୍କ ପାଇଁ ମଧ୍ୟ ମାଗଣା ଚିକିତ୍ସା ବ୍ୟବସ୍ଥା ରହୁ ବୋଲି ପିସିସି ପକ୍ଷରୁ ସେ ଦାବି କରିଛନ୍ତି। ନିୟମିତ ତୃତୀୟ ପକ୍ଷ ଯାଞ୍ଚ ବ୍ୟବସ୍ଥା, ଉଲ୍ଲଂଘନକାରୀଙ୍କୁ କଠୋର ଦଣ୍ଡର ବ୍ୟବସ୍ଥା ରହୁ, ଷ୍ଟେକ୍?ହୋଲ୍?ଡରମାନଙ୍କ ସହ ନିୟମିତ କଥାବାର୍ତ୍ତା ଜରିଆରେ ବ୍ୟାପକ ସଚେତନତା ସୃଷ୍ଟି ହେଉ, ଅଭିଯୋଗ-ଶୁଣାଣି ବ୍ୟବସ୍ଥା ରହୁ ବୋଲି ସେ ଦାବି କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା