ଭୁବନେଶ୍ୱର, ୧୭ ଅଗଷ୍ଟ (ହି.ସ.)- ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ସ୍ଥିତ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ଉନ୍ନୟନ ବିଭାଗର ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗର ୬୦ ଟି ବିଭାଜନର କାର୍ଯ୍ୟକୁ ବିସ୍ତୃତ ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ନାଏକ ନିର୍ଦ୍ଧାରିତ ସମୟ ମଧ୍ୟରେ ଉନ୍ନତମାନକୁ ବଜାୟ ରଖି ସମସ୍ତ ନିର୍ମାଣ କାର୍ଯ୍ୟ ଶେଷକରିବାକୁ ନିର୍ଦ୍ଦେଶ ଦେବାସହ ବିଳମ୍ବ ହେଲେ ଅଧିକାରୀଙ୍କ ଦରମା କାଟ ହେବ ବୋଲି ତାଗିଦ କରିଛନ୍ତି ।
ଗ୍ରାମ୍ୟ ଉନ୍ନୟନ ବିଭାଗର ଏହି ରାଜ୍ୟସ୍ତରୀୟ ସମୀକ୍ଷା ବୈଠକରେ ବିଭାଗ ଦ୍ୱାରା କାର୍ଯ୍ୟକାରୀ ସମସ୍ତ ଯୋଜନାର ସମୀକ୍ଷା ହୋଇଥିଲା । ରାଜ୍ୟର ସମସ୍ତ ୬୦ ଟି ଗ୍ରାମ୍ୟ ନିର୍ମାଣ ବିଭାଜନର ସମସ୍ତ ନିର୍ମାଣ କାର୍ଯ୍ୟକୁ ମନ୍ତ୍ରୀ ସମୀକ୍ଷା କରିଥିଲେ । ପିଏମ୍ ଜିଏସୱାଇ-୪ରେ ରାଜ୍ୟ ଜାତୀୟସ୍ତରରେ ଉନ୍ନତ ପ୍ରଦର୍ଶନ କରିଥିବାରୁ ସେ ବିଭାଗର ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ଯୋଜନାରେ କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା ଆଦି ଜିଲ୍ଲାରେ ସାଚୁରେସନ୍ ମୋଡ୍ ରେ ନିର୍ମାଣ କାର୍ଯ୍ୟ ହୋଇଥିବାରୁ ସେ ପ୍ରସନ୍ନତା ବ୍ୟକ୍ତ କରିଥିଲେ। ଏହା ସହ ଆର୍ôଥକ ବର୍ଷ ୨୦୨୫-୨୬ ରେ ଅନ୍ୟ ଯୋଜନା ଗୁଡ଼ିକର ନିର୍ମାଣ ଲକ୍ଷ୍ୟ ବିଷୟରେ ଆଲୋଚନା ହୋଇଥିଲା । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅଧୀନରେ ୫୨୧ଟି ପ୍ରକଳ୍ପରେ ନିର୍ମାଣ ହେବାକୁଥିବା ୫୦୦୦ କିମି ରାସ୍ତା, ସେତୁ ବନ୍ଧନ ଯୋଜନାରେ ୪୦୦ ସେତୁ ଓ ୨୫୩ଟି କୋଠାର ନିର୍ମାଣ ଅଗ୍ରଗତି ବିଷୟରେ ସବିଶେଷ ସମୀକ୍ଷା କରି ମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । କିଛି ବିଭାଜନ ଆଶାନୁରୂପ ପ୍ରଦର୍ଶନ କରିନଥିବାରୁ ସେଠାକାର ସ୍ଥିତି ଓ ଉନ୍ନତ ପ୍ରଦର୍ଶନର ମାର୍ଗ ବିଷୟରେ ଆଲୋଚନା ହୋଇଥିଲା।କ୍ଷ ସେହି ବିଭାଜନର ଅଧିକାରୀ ଅଧିକ ଯତ୍ନଶୀଳ ହେବାପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ଏହି ଅବସରରେ ଦିଗଦର୍ଶନ ଦେଇ ମନ୍ତ୍ରୀ ଶ୍ରୀ ନାଏକ ପ୍ରକାଶ କରିଥିଲେଗ୍ରାମ୍ୟ ଉନ୍ନୟନ ବିଭାଗ ହେଉଛି ଗ୍ରାମାଞ୍ଚଳର ଜନସାଧକ୍ଷରଣଙ୍କ ଜନଜୀବନକୁ ପ୍ରଭାବିତ କରୁଥିବା ବିଭାଗ । ପାଞ୍ଚ ବର୍ଷ ମଧ୍ୟରେ ୩୦,୦୦୦ କିମି ରାସ୍ତା, ୫୦୦ ସେତୁର ନିର୍ମାଣ ଲକ୍ଷ୍ୟକୁ ବିଭାଗ ଯେପରି ସଫଳତାର ସହ ହାସଲ କରିବ ତାହା ବିଭାଗର ସମସ୍ତଙ୍କ ଦାୟିତ୍ୱ । ଏହା ରାଜ୍ୟର ବିକାଶକୁ ବହୁଗୁଣିତ କରିବା ସହ ବିକଶିତ ଓଡ଼ିଶା ଗଠନରେ ପ୍ରଭାବୀ ସାବ୍ୟସ୍ତ ହେବ ବୋଲି ଶ୍ରୀ ନାଏକ ପ୍ରକାଶ କରିଥିଲେ।
ପ୍ରତିଟି ପ୍ରକଳ୍ପ ନିର୍ମାଣରେ ଉତ୍ତରଦାୟିତ୍ୱ ସ୍ଥିର କରିବାକୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ବିଭାଜନ ଗୁଡ଼ିକପାଇଁ ମାସିକ ନିର୍ମାଣ ଲକ୍ଷ୍ୟ ସ୍ଥିରୀକୃତ କରାଯିବା ସହ ସେଗୁଡ଼ିକର ମନିଟରିଂ ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟରେ ଯେଉଁ ପ୍ରକଳ୍ପ ଗୁଡ଼ିକର ନିର୍ମାଣ ବିଳମ୍ବିତ ଅବସ୍ଥାରେ ରହିଛି ସେ ଗୁଡ଼ିକର ସ୍ଥିତି ସମୀକ୍ଷା କରିବାପାଇଁ ଏକ କ୍ଷେତ୍ରୀୟ ଟିମ ଗଠନ କରିବାକୁ ସେ ପରାମର୍ଶ ଦେଇଥିଲେ। ପ୍ରତିଟି ପ୍ରକଳ୍ପ ନିର୍ମାଣରେ ମାନ ବଜାୟ ରଖିବା ସହ ସ୍ଥିରୀକୃତ ସମୟରେ ନିର୍ମାଣ ସମ୍ପୂର୍ଣ୍ଣ ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଦାୟିତ୍ୱରେ ଅବହେଳା ଯୋଗୁଁ ନିର୍ମାଣରେ ବିଳମ୍ବ ଓ ନିର୍ମାଣ ମାନରେ ଅସଂଗତି ରହିଲେ ଉତ୍ତରଦାୟିତ୍ୱ ସ୍ଥିର କରି ଦରମାବନ୍ଦ ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।
ଏହି ବୈଠକରେ ପ୍ରାରମ୍ଭିକ ବକ୍ତବ୍ୟ ରଖି ବିଭାଗୀୟ ଆୟୁକ୍ତ ତଥା ଶାସନ ସଚିବ ଶ୍ରୀମତୀ ୟାମିନୀ ଷଡଙ୍ଗୀ ୬୦ ଟି ବିଭାଜନର ନିର୍ମାଣ କାର୍ଯ୍ୟ ଓ ଅନ୍ୟକ୍ଷନ୍ୟ ଆନୁଷଙ୍ଗିକ ଦିଗ ବିଷୟରେ ମନ୍ତ୍ରୀଙ୍କୁ ସୂଚିତ କରିଥିଲେ। ସର୍ବୋଚ୍ଚ ଯନ୍ତ୍ରୀ ପ୍ରଦୀପ କୁମାର ଜେନା ସମୀକ୍ଷା ବୈଠକକୁ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ବିଭିନ୍ନ ନିର୍ମାଣ କାର୍ଯ୍ୟ ବିଷୟରେ ତଥ୍ୟ ରଖିଥିଲେ । ସର୍ବୋଚ୍ଚ ଯନ୍ତ୍ରୀ ପ୍ରସନ୍ନ କୁମାର ସାହୁ, ସର୍ବୋଚ୍ଚ ଯନ୍ତ୍ରୀ ଦେବେନ୍ଦ୍ର ସେଠ ବିଭିନ୍ନ ପ୍ରକଳ୍ପ ନିର୍ମାଣ ବିଷୟରେ ମନ୍ତ୍ରୀଙ୍କୁ ସୂଚିତ କରିଥିଲେ । ବୈଠକରେ ବରିଷ୍ଠ ଅଧିକାରୀଗଣ ସର୍ବେଶ୍ୱର ସିଂ, ଶ୍ରୀମତୀ ଗୀତାରାଣୀ ପଟ୍ଟନାୟକ, ଶ୍ରୀମତୀ ସଂଘମିତ୍ରା ଶତପଥୀ, ସମସ୍ତ ବରିଷ୍ଠ ଯନ୍ତ୍ରୀ, ୬୦ ଟି ବିଭାଜନର କ୍ଷେତ୍ରୀୟ ଅଧିକାରୀ ତଥା ଯନ୍ତ୍ରୀ ଯୋଗଦେଇ ମନ୍ତ୍ରୀଙ୍କଠାରୁ ଦିଗଦର୍ଶନ ପ୍ରାପ୍ତ ହୋଇଥିଲେ
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା