ବାରିପଦା, ୨ ଅଗଷ୍ଟ (ହି.ସ.) - ଶିମିଳିପାଳ ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କୁ ଶିକାରୀ ଦାଉରୁ ସୁରକ୍ଷା ନିମନ୍ତେ ଖଞ୍ଜା ଯାଇଥିବା ଏଆଇ କ୍ୟାମେରା ସହାୟତାରେ ପୁଣି ୫ଜଣ ଶିକାରୀ ଧରା ପଡିଛନ୍ତି। ଶିମିଳିପାଳ ବନ୍ୟଜନ୍ତୁ ବୁଦ୍ଧିମତା ନେଟୱର୍କ (ଏସଡବ୍ଲୁଆଇଏନ) ପରି ଅତ୍ୟାଧୁନିକ ବୈଜ୍ଞାନିକ କୌଶଳ ବ୍ୟବହାର କରାଯାଇ ଶିକାରୀକୁ ଧରିବାକୁ ବନ ବିଭାଗ ପ୍ରୟାସ ସଫଳ ହୋଇଛି। ୫ଜଣ ଶିକାରୀଙ୍କୁ ତାଙ୍କ ଘରୁ ଗିରଫ କରାଯାଇଛି। ସେମାନେ ହେଲେ କାହ୍ନୁ ଜାମଦା ସିଂ(୩୦), ପ୍ରଦୀପ ସିଂ(୩୧), ସୋମନାଥ ସିଂ(୩୫), ଗୌର ସିଂ(୨୪) ଓ ଦେବେନ୍ଦ୍ର ସିଂ(୨୦)। ତାଙ୍କ ପାଖରୁ ଜନ୍ତୁ ଶିକାର ନିମନ୍ତେ ବ୍ୟବହୃତ ୩ଟି ଦେଶୀ ବନ୍ଧୁକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଶିକାରୀ ମାନେ ମାରାଣାସ୍ତ୍ର ଧରି ଶିମିଳିପାଳ ଅଭୟାରଣ୍ୟର କୋର ଅଂଚଳ ମଧ୍ୟକୁ ଶିକାର ଉଦ୍ଦେଶ୍ୟରେ ଅନୁପ୍ରବେଶ କରିଥିବା ବେଳେ ସେମାନଙ୍କ ଫଟୋ କ୍ୟାମେରାରେ କଏଦ ହୋଇଥିଲା। ଯାହାକୁ ଆୟୁଧ କରି ଯାଂଚ ପ୍ରକ୍ରିୟା ପରେ ସତନ୍ତ୍ର ଏନଫୋର୍ସମେଂଟ ଟିମ ଓ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ଡିଭିଜନ କର୍ମଚାରୀ ମାନେ ମିଳିତ ଭାବେ ଶିକାରୀଙ୍କ ଘରେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା। ଏଠି ସହିତ ବନ ବିଭାଗ ପକ୍ଷରୁ ଆର୍ମ ଆକ୍ଟରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ