ଜୟପୁର, ୨ ଅଗଷ୍ଟ (ହି.ସ.)-
କୋରାପୁଟ ଜିଲ୍ଲା ଜୟପୁର ସହରର ନିକଟସ୍ଥ ବାରିଣିପୁଟ ଠାରେ କୋଲାବ ଜଳ ପ୍ରକଳ୍ପ ଇରିଗେସନ ବିଭାଗର ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୋରିଗୁମ୍ମା-କୋରାପୁଟ ବିପର୍ଯ୍ୟସ୍ତ ରାସ୍ତାର ତୁରନ୍ତ ନିର୍ମାଣ ନେଇ ଜୟପୁର ବିଜୁ ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପୂର୍ବତନ ମନ୍ତ୍ରୀ ତଥା ବିଜେଡି ରାଜ୍ୟ ଉପସଭାପତି ରବିନାରାୟଣ ନନ୍ଦଙ୍କ ଆହ୍ବାନ କ୍ରମେ ଅନୁଷ୍ଠିତ ପୂର୍ବାହ୍ନ ୧୧ଟା ଠାରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶତାଧିକ ବିଜେଡି ନେତା ଓ କର୍ମୀ ମାନେ ଯୋଗଦେଇଥିଲେ । କୋରାପୁଟ ଜିଲ୍ଲାର ବୋରିଗୁମ୍ମା ଠାରୁ କୋରାପୁଟ ଯାତାୟାତ ପାଇଁ ୪୮ତମ ରାଜ୍ୟ ରାଜପଥ ୩୬ କିମି ରାସ୍ତା ରହିଛି । କିନ୍ତୁ ଏହି ରାସ୍ତାର ୬ କିମି ରାସ୍ତା ଇରିଗେସନ ବିଭାଗର ଅଧିନରେ ରହିଛି । ଦୀର୍ଘ ବର୍ଷ ଧରି ଏହାର ରକ୍ଷଣାବେକ୍ଷଣ କରାଯାଉନଥିବା ଯୋଗୁଁ ଏହିରାସ୍ତା ଜରାଜିର୍ଣ୍ଣ ଅବସ୍ଥାରେ ଖାଲ ଖମାରେ ରହିଛି । ଉକ୍ତ ରାସ୍ତା ଛତିଶଗଡ ଏବଂ ଓଡିଶା ମଧ୍ୟରେ ଯାତାୟାତରେ ମୁଖ୍ୟରାସ୍ତା ଅଟେ । କିନ୍ତୁ ଖାଲଖମାରେ ପାଣି ଜମା ରହୁଥିବା ଯୋଗୁଁ ରାସ୍ତା ଦେଇ ଭାରୀଯାନ ଏବଂ ଚାରି ଚକିଆଯାନ ଏବଂ ଦୁଇଚକିଆ ଯାନ ଯାତାୟାତରେ ସମସ୍ୟା ଦେଖାଦେଇଛି । ଏହିପରି ପ୍ରାୟ ୩ ଫୁଟ ରାସ୍ତା ଗାତ ହୋଇଯାଇଛି, ଫଳରେ ବର୍ଷାହେଲେ ରାସ୍ତାରେ ପାଣି ଭରି ରହୁଥିବା ଯୋଗୁଁ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି । ଏହିପରି କୋରାପୁଟ- ଜୟପୁର ମଧ୍ୟରେ ଘାଟି ରାସ୍ତାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ଯୋଗୁଁ ଏହି ରାସ୍ତାକୁ ବାଇପାସ ଭାବେ ବ୍ୟବହାର କରାଯାଉଛି । କିନ୍ତୁ, ରାସ୍ତାର ଦୂରାବସ୍ଥା ଯୋଗୁଁ ଏହି ରାସ୍ତା ଦେଇ ଯାତାୟାତ ହେଉନଥିବା ଯୋଗୁଁ କୋରାପୁଟ-ଜୟପୁର- ବୋରିଗୁମ୍ମା ରାସ୍ତାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ତେଣୁ ତୁରନ୍ତ ଇରିଗେସନ ବିଭାଗର ୬ କି.ମି. ରାସ୍ତା ହୋଇଥିବା ରାସ୍ତା ନିର୍ମାଣ କରାଯାଉ ଅନ୍ୟଥା ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି । ଏହିପରି ଏକ ସ୍ମାରକପତ୍ର କୋଲାବ ଇରିଗେସନ ବିଭାଗର ମୁଖ୍ୟଯନ୍ତ୍ରୀ ଯୁଗଳ କିଶୋର ଖଟୁଆଙ୍କୁ ପ୍ରଦାନ କରାଯାଇଛି । ଅନ୍ୟପକ୍ଷରେ ଇରିଗେନସ ବିଭାଗ ପକ୍ଷରୁ ମୁଖ୍ୟଯନ୍ତ୍ରୀ ଶ୍ରୀ ଖଟୁଆ ଆସନ୍ତା ଦୁଇଦିନ ମଧ୍ୟରେ ଏହାର ମରାମତି କରାଯିବ । ଏହିପରି ଏହା ରାଜ୍ୟ ରାଜପଥ ହୋଇଥିବା ବେଳେ ଏହାର ନିର୍ମାଣ କାର୍ଯ୍ୟା ରାସ୍ତା ଓ ଗୃହ ନିର୍ମାଣ ବିଭାଗର କିନ୍ତୁ ମାତ୍ର ୬.୧୮ କିମି ଇରିଗେସନ ବିଭାଗର ରହିଛି । ତେଣୁ ଏଥିନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହାକୁ ରାସ୍ତା ଓ ଗୃହନିର୍ମାଣ ବିଭାଗକୁ ହସ୍ତାନ୍ତର କରାଯିବା ନେଇ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହିପରି ଇରିଗେସନ ବିଭାଗ ଅଧିନରେ ରହିଥିବା ଏହାର ନିର୍ମାଣ ପାଇଁ ୨କୋଟି, ୨୬ ଲକ୍ଷ ୮୫ ହଜାର ଅଟକଳ କରାଯାଇ ରାଜ୍ୟ ସର୍ବଚ୍ଚୋ ଯନ୍ତ୍ରୀଙ୍କ ନିକଟକୁ ମଞ୍ଜୁର ପାଇଁ ପଠାଯାଇଛି । ଏହାର ଟଙ୍କା ମଞ୍ଜରୁ ପରେ ଟେଣ୍ଡର ଆହ୍ବାନ କରାଯାଇ ନିର୍ମାଣ କରାଯିବ ବୋଲି କହିଛନ୍ତି ।
ଆଜିର ଧାରଣା ବିଜେଡିର ବରିଷ୍ଠ ନେତା ପୂର୍ବତନ କୋରାପୁଟ ବିଧାୟକ ରଘୁରାମ ପଡାଲ, ଦୁର୍ଗା ପ୍ରସାଦ ମିଶ୍ର, ବାଲା ରାୟ, ଏମ. ମାଙ୍ଗମ୍ମା, ଗଣେଷ ପାଢୀ. ନାଗୁ ଦୋରା, ବିରେନ ବିଶୋୟୀ, ମଣ୍ଟୁ ବେନିଆ, ହରପ୍ରସାଦ ମିଶ୍ର, ବାଲିଙ୍କି ରାଓ, ଶିବ ପଟ୍ଟନାୟକ, ଲିଙ୍ଗା ପାତ୍ର, ବାବୁଲି ପାଙ୍ଗୀ ଏବଂ ଜୟପୁର, ବୋରିଗୁମ୍ମା, କୋଟପାଡ ଅଞ୍ଚଳର ବିଜେଡି କର୍ମୀ ମାନେ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି