ମୁଖୀଗୁଡା,୨ ଅଗଷ୍ଟ (ହି.ସ.)- ମଣ୍ଡିରେ ଧାନବିକ୍ରି ଚାଷୀ ପଞ୍ଜିକରଣ ପାଇଁ ଚାଷ କରିଥିବା ଜମିର ଖଜଣା ପାଉତି ବାଧ୍ୟତାମୂଳକ କରାଯାଉଥିବା ବେଳେ ଖଜଣା ପାଉତି ପାଇଁ ଜୟପାଟଣା ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟକୁ ଯାଇ ଚାଷୀ ନାହିଁ ନଥିବାର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଚାଷୀ ୨୦୨୪-୨୫ରେ ସମସ୍ତ ଖଜଣା ପ୍ରଦାନ କରିଥିଲେ ହେଁ କମ୍ପୁଟରରେ ବକେୟା ଥିବା ଦର୍ଶାଉଥିବାରୁ ଚାଷୀ କମ୍ପୁଟର ଦୋକାନରୁ ଆରଆଇ ଅଫିସକୁ ଧାଇଁବାକୁ ପଡୁଛି । ଆରଆଇ ଅଫିସରେ ଭିଡ଼ ଜମୁଥିବାରୁ ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି । ଜୟପାଟଣା ଆରଆଇ ଅଫିସରେ ଚାଷୀ ଦେଇଥିବା ଖଜଣାର ଅପଡେଟ କରାଯାଇନଥିବାରୁ ଅନଲାଇନ ପେମେଣ୍ଟ କଲେ ବକେୟା ଦେଖାଉଛି । ଆଜି ଜୟପାଟଣା ଆରଆଇ ଅଫିସକୁ ଜୟପାଟଣା, ପ୍ରତାପପୁର, ଚିର୍କା ଅଞ୍ଚଳର ଅନେକ ଚାଷୀଙ୍କ ବକେୟା ଖଜଣା ରହିଥିବା ଜାଣିବାକୁପାଇ ଆରଆଇ ଅଫିସକୁ ଅପଟୁଡେଟ ପାଇଁ ଯାଇଥିଲେ ।
ହେଲେ ଏଠାରେ ପ୍ରଶ୍ନ ଉଠୁଛିଯେ, ଅପଟୁଡେଟ କରିବା ଦାୟିତ୍ୱ କାହାର । ଜିଲ୍ଲା ପ୍ରଶାସନ ଅନଲାଇନ ଦେୟ ଉପରେ ଗୁରୁତ୍ୱ ଦେଉଥିବା ବେଳେ ଅନଲାଇନ ଖଜଣା ଦେୟ ପାଇଁ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହାର ପ୍ରତିକାର ପାଇଁ ଦାବି ହେଉଛି।
ହିନ୍ଦୁସ୍ଥାନ ସମାଚାର / ନିହାର ରଂଜନ ବେହେରା |