ବାରିପଦା, ୨ ଅଗଷ୍ଟ (ହି.ସ.) - ମୟୂରଭଞ୍ଜ ସାହିତ୍ୟ ପରିଷଦ ତରଫରୁ ମହାରାଣୀ ପ୍ରେମକୁମାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଓଡ଼ିଆ ଭାଷା ସାହିତ୍ୟ ସମନ୍ଧୀୟ କୁଇଜ ପ୍ରତିଯୋଗିତା ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ବିଶିଷ୍ଟ ଗାଳ୍ପିକ ସ୍ୱର୍ଗତଃ ଧନେଶ୍ୱର ପଣ୍ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ପରିଷଦର ସଭାପତି ପଦ୍ମନାଭ ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ପ୍ରତିଯୋଗିତାରେ ଅନୁଷ୍ଠାନର ସଂପାଦକ ଇଂ. ମନୋଜ ଦଳବେହେରା, ଉପସଭାପତି ଜୟନ୍ତ କୁମାରୀ ଦ୍ୱାରୀ, ପୂର୍ବତନ ସଭାପତି ଅଜିତ କୁମାର କବାଟ, ପୂର୍ବତନ ଉପସଭାପତି ବୀଣାପାଣି ପଣ୍ଡା, ବରିଷ୍ଠ ସଦସ୍ୟ କୈବଲ୍ୟ ପ୍ରସାଦ ମହାପାତ୍ର, ଡ. ଶଶିଧର ବିଶ୍ୱାଳ, ନରସିଂହ ବାରିକ, ବାସନ୍ତିଲତା ମହାପାତ୍ର, ଭାଗବତ ପଣ୍ଡା, ଶୈଳେନ୍ଦ୍ର ନାରାୟଣ ଜ୍ୟୋତିଷୀ, ଭାସ୍ୱତୀ ପଣ୍ଡା ଏବଂ ମିତାରାଣୀ ସାହୁ ପ୍ରମୁଖ ଯୋଗଦେଇ ପରୀକ୍ଷା ପରିଚାଳନା କରିଥିଲେ । ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିବା ବେଳେ ପୂର୍ଣ୍ଣଚନ୍ଦ୍ର ଆଦର୍ଶ ବିଦ୍ୟାମନ୍ଦିରର ଛାତ୍ରୀ ସ୍ନିତି ଟିପିରିଆ ପ୍ରଥମ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରାଣୀଭୋଳର ଛାତ୍ରୀ ତୃପ୍ତିମୟୀ ବିଶ୍ୱାଳ ଏବଂ ମହାରାଣୀ ତକତକୁମାରୀ ସରକାରୀ ଉପ୍ରା ବିଦ୍ୟାଳୟର ଛାତ୍ରୀ ସ୍ୱାତୀ ରଣା ଯୁଗ୍ମ ଦ୍ୱିତୀୟ ତଥା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ତୁଳସୀଚଉରାର ଛାତ୍ର ଆୟୁଷ ସାମଲ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଆଗାମୀ ଅଗଷ୍ଟ ୧୫ ତାରିଖରେ ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ୭୯ତମ ସ୍ୱାଧୀନତା ଦିବସ ପାଳନ ଅବସରରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ ।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ