କୋରେଇ, ୨ ଅଗଷ୍ଟ (ହି.ସ.)- ଅର୍ଥ ହଡପ ଓ ମାଡ ମାରିବା ଘଟଣାରେ ଦଶରଥପୁର ପୁଲିସ କାର୍ଯ୍ୟାନୁଷ୍ଠାନ ନେବାତ ଦୂରର କଥା ଏତଲା ରଖିବାକୁ ମନା କରିବାରୁ ଶେଷରେ ନ୍ୟାୟ ପାଇଁ ପୀଡିତ ପରିବାର ଆଜି ଯାଜପୁର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ପହଂଚି ନ୍ୟାୟ ପାଇଁ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପ୍ରକାଶ ଯେ, ଯାଜପୁର ଜିଲ୍ଲା ଦଶରଥପୁର ଥାନା ଅନ୍ତର୍ଗତ ନାହାପଡା ଗ୍ରାମର ପ୍ରଦୀପ କୁମାର ସେଠୀଙ୍କ ଝିଅ ଶୀମାଂଜଳୀ ସେଠୀଙ୍କ ଅଭିଯୋଗ ମୁତାବକ ତାଙ୍କ ଗ୍ରାମର ପ୍ରଦୀପ ଦାଶ (ଜଣେ ବେସରକାରୀ ଅମିନ) ଗତ ଜୁଲାଇ ୧୮ ତାରିଖ ଦିନ ଏକ ଜମି ରେଜେଷ୍ଟ୍ରି କରାଇ ଦେବାକୁ ୩୦ ହଜାର ଟଙ୍କା ଅଗ୍ରୀମ ନେଇଥିଲେ । ହେଲେ ଜମି ଦେବା ପାଇଁ ଆଜି କାଲି କହି ସମୟ ଗଡାଇ ଚାଲିଲେ । ଏନେଇ ଟଙ୍କା ଫେରସ୍ତ ପାଇଁ ତାଙ୍କ ଘରେ ପହଂଚିବାରୁ ଟଙ୍କା ଫେରାଇବା ବଦଳରେ ପ୍ରଦୀପ ଓ ତାଙ୍କ ବଡଭାଇ ପ୍ରଶାନ୍ତ ଦାଶ ଓ ଭଉଣୀ ମାମୀନା ଦାସ ଏକ ଲୁହା ଓ ପ୍ଲାଷ୍ଟିକ ପାଇପ ଯୋଗେ ବାଡେଇ ରକ୍ତାକ୍ତ କରିଦେଲେ । ଏଠାରୁ ନଗଲେ କଟୁରୀରେ ହାଣି ଜୀବନରୁ ମାରି ନଦୀରେ ଭସାଇ ଦେବାକୁ ଧମକ ଦେଲେ । ଅଶ୍ଲୀଳ ଗାଳିଗୁଲଜ ସହ ଟଙ୍କା ମୁଁ ଜାଣି ଶୁଣି ଆଣିଛି ଫେରାଇବି ନାହିଁ । ମୋର କ'ଣ କରିବୁ କର, ଥାନା ପୁଲିସ ସବୁ ମୋ ହାତରେ ଅଛନ୍ତି । ମୁଁ କାଉଂଟର କେସ କରିବି ଆଗରୁ ଅନେକ କେସ ଅଛି ମୋର କେହି କିଛି କରିପାରୁ ନାହାନ୍ତି ତୁ କଣ କରିବୁ କହି ଧମକ ଦେଲେ । ଏନେଇ ଦଶରଥପୁର ଥାନାରେ ଅଭିଯୋଗ କରିବାକୁ ଯିବାରୁ ଥାନାଧିକାରୀ ଏତଲା ଗ୍ରହଣ କରିନଥିଲେ । ଏନେଇ ଜୁଲାଇ ୨୨ ତାରିଖ ଜିଲ୍ଲା ମୁଖ୍ୟାଳୟକୁ ଆସିଥିବା ବେଳେ ଥାନାଧିକାରୀ ଏଠାରେ ସେମାନଙ୍କୁ ଦେଖି ସନ୍ଧ୍ୟାରେ ବୁଝିବେ ବୋଲି କହି ବୁଝାଇ ସୁଝାଇ ଫେରାଇ ନେବାରେ ସକ୍ଷମ ହୋଇଥିଲେ । ହେଲେ ଥାନାକୁ ଯିବାରୁ ପ୍ରଦୀପ ଆସୁନାହିଁ ବୋଲି କହିଥିଲେ । ଏହା ମଧ୍ୟରେ ପ୍ରଦୀପ ଓ ତା ଗୁଣ୍ଡା ମାନେ ୫ଥର ଆସି ଧମକ ଦେଇ ମାମଲା ନଉଠାଇଲେ ଏଠାରେ ରଖାଇ ଦେବୁ ନାହିଁ ବୋଲି ଧମକ ଦେଉଛନ୍ତି । ଏନେ଼ଇ ଏସଡିପିଓଙ୍କୁ ମଧ୍ୟ ଜଣାଇବାକୁ ଯାଇ ତାଙ୍କ ଦେଖା ପାଇନଥିଲେ । ସେଠାରେ ଥିବା ଜଣେ ମାଡାମ କହିଲେ ତୁମ ନାମରେ କେଶ ହୋଇସାରିଛି । ତୁମ କଥା ଏସପି କ'ଣ କେହି ବୁଝିବେ ନାହିଁ । ଫଳରେ ସବୁଆଡୁ ନିରାଶ ହୋଇ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିବା ପରେ ଦଶରଥପୁର ଥାନାଧିକାରୀଙ୍କୁ ତ୍ୱରୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସପି ନିର୍ଦ୍ଦେଶ ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ