ଜୟପୁର, ୨ ଅଗଷ୍ଟ (ହି.ସ.)-
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଶାରଦା ବିହାର, ଜୟପୁର ଠାରେ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚନ୍ଦନ କୁମାର ନାୟକ, ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପସ୍ଥିତ ରହି ଶିଶୁଙ୍କୁ ପ୍ରେରଣା ପ୍ରଦାନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବିଦ୍ୟାଳୟର ସଭାପତି କିଶୋର ଚନ୍ଦ୍ର ପଣ୍ଡା, ୨୧ ନମ୍ବର ୱାର୍ଡର କାଉନ୍ସିଲର ଶ୍ରୀମତୀ ସୁଷମା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ସତ୍ୟ ନାରାୟଣ ସେଠୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ବନ୍ଦନା ଓ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଶିଶୁମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଗଣିତ ଓ ବିଜ୍ଞାନ ଗୁରୁଜୀ ଦିଲୀପ କୁମାର ଶତପଥୀ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଶିଶୁଙ୍କୁ ମାର୍ଗଦର୍ଶନ କରିଥିଲେ । ଶିଶୁମାନେ ବିଜ୍ଞାନ ପ୍ରକଳ୍ପ, ବିଜ୍ଞାନ ପତ୍ରବାଚନ, ବିଜ୍ଞାନ ପ୍ରୟୋଗ, ବିଜ୍ଞାନ ପ୍ରଶ୍ନମଞ୍ଚ, ଗଣିତ ପ୍ରକଳ୍ପ, ଗଣିତ ପତ୍ରବାଚନ, ଗଣିତ ପ୍ରୟୋଗ, ଗଣିତ ପ୍ରଶ୍ନମଞ୍ଚ, ସଂସ୍କୃତିଜ୍ଞାନ ପତ୍ରବାଚନ, ସଂସ୍କୃତି ଜ୍ଞାନ ପ୍ରଶ୍ନମଞ୍ଚ, ସଂସ୍କୃତିଜ୍ଞାନ ତତ୍କାଳିକ ଭାଷଣ ଆଦି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ବିଚାରକ ଭାବେ ବରିଷ୍ଠ ଶିକ୍ଷକ ଓ ଶିକ୍ଷୟତ୍ରୀ ମଧ୍ୟରେ ରାଧା ମୋହନ ପଣ୍ଡା, ପ୍ରଶାନ୍ତ ରାଉଳ, ଜଗନ୍ନାଥ ତ୍ରିପାଠୀ, ଡ. ଅରୁଣ କୁମାର ରାଜ୍, ଦିଲ୍ଲୀପ କୁମାର ମିଶ୍ର, ବିଘ୍ନରାଜ ଚୌଧୁରୀ, ଲୋକେଶ୍ ପ୍ରଧାନ, ଅଭିଷେକ୍ ରାଜ୍ ପାଣିଗ୍ରାହୀ, ରୋହିତ୍ ରଂଜନ ବେହେରା, ସରୋଜ କୁମାର ମହାପାତ୍ର, ଅମିତ୍ ତ୍ରିପାଠୀ, ବିଶ୍ୱଜିତ୍ ମାଝୀ, ସାଗର କୁମାର ଦାଶ, ଗୁଲସନ୍ ସାହୁ, ପାୟଲ୍ ଶତପଥୀ, ଏମ୍. ସାଇସ୍ମିତା ପ୍ରିୟଦର୍ଶନୀ, ଚାନ୍ଦିନୀ ବିଶ୍ୱାସ, ଇପ୍ସିତା ଅଧିକାରୀ, କସ୍ତୁରୀ ଆଚାର୍ଯ୍ୟ, ଦିପ୍ତିମୟୀ ପାଢୀ, ସୁଚିସ୍ମିତା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଶିଶୁମାନଙ୍କର ପ୍ରକଳ୍ପ, ପତ୍ରବାଚନ, କଥା କଥନ, ପ୍ରୟୋଗ ଇତ୍ୟାଦିର ମୂଲ୍ୟାଙ୍କନ କରିଥିଲେ । ଗଣିତ ପ୍ରକଳ୍ପରେ 32 ଜଣ, ଗଣିତ ପ୍ରଶ୍ନମଞ୍ଚରେ 17 ଜଣ, ଗଣିତ ପ୍ରୟୋଗରେ 6 ଜଣ ଓ ଗଣିତ ପତ୍ରବାଚନରେ 6 ଜଣ ଶିଶୁ ଭାଗ ନେଇଥିବା ବେଳେ, ବିଜ୍ଞାନ ପ୍ରଶ୍ନମଂଚରେ 50 ଜଣ, ବିଜ୍ଞାନ ପ୍ରକଳ୍ପରେ 40 ଜଣ, ବିଜ୍ଞାନ ପ୍ରୟୋଗରେ 20 ଜଣ, ବିଜ୍ଞାନ ପତ୍ରବାଚନରେ 20 ଜଣ, ମୂର୍ତ୍ତିକଳାରେ 15 ଭାଗ ନେଇଥିଲେ । ସଂସ୍କୃତିଜ୍ଞାନରେ ସର୍ବମୋଟ 31 ଜଣ ଶିଶୁ ଭାଇ ଭଉଣୀ ଭାଗ ନେଇଥିଲେ । ଏହିପରି ଭାବେ ମୋଟ 237 ଜଣ ଶିଶୁ ଭାଇ ଭଉଣୀ ଏହି ଜ୍ଞାନ ବିଜ୍ଞାନ ମେଳାରେ ଅଂଶଗ୍ରହଣ କରିଥିଲେ ।
ସେହିପରି ସମାରୋପ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦିଲ୍ଲୀପ କୁମାର ପଣ୍ଡା, ପ୍ରଧାନ ଶିକ୍ଷକ, ଗଡ଼ପଦର ଉଚ୍ଚବିଦ୍ୟାଳୟ ଓ ସମ୍ମାନୀତ ଅତିଥି ଭାବେ ସୁକାନ୍ତ ବେହେରା, ଦକ୍ଷିଣ ସମ୍ଭାଗର ସମ୍ଭାଗ ସଂଯୋଜକ, ବିଦ୍ୟାଳୟର ସଭାପତି କିଶୋର ଚନ୍ଦ୍ର ପଣ୍ଡା ଓ ସଂପାଦକ ଶିଶିର ଚନ୍ଦ୍ର ଦାଶ ଯୋଗଦେଇ ଶିଶୁମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ସମାରୋପ ଉତ୍ସବରେ କୃତି ଶିଶୁ ଭାଇ ଭଉଣୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । କୃତି ଶିଶୁମାନେ ପରବର୍ତ୍ତୀ ପର୍ଯ୍ୟାୟରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିବେ ।
କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ଅତିଥି, ପରିଚାଳନା ସମିତିର ସମସ୍ତ ସଦସ୍ୟ, ଅଭିଭାବକ, ଶୁଭେଛୁ, ଗୁରୁଜୀ ଗୁରୁମା, ସେବକ ସେବିକା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି