ବାରିପଦା, ୨ ଅଗଷ୍ଟ (ହି.ସ.)- ବିଲ ମଝିରେ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି ପତି-ପତ୍ନୀ । ଶୁକୃଳି-ଖିଚିଂ ମୁଖ୍ୟ ରାସ୍ତାର ଖିଚିଂ କଲେଜ ସମ୍ମୁଖ ବିଲ ମଝିରେ ଦୁହେଁ ଆତ୍ମାହୁତି ଉଦ୍ୟମ କରିଥିଲେ । ଆଜି ପୂର୍ବାହ୍ନ ପ୍ରାୟ ୯ଟା ସମୟରେ ଏହି ଘଟଣା ଘଟିଥିଲା । ସେହି ସମୟରେ କିଛି ଲୋକ ନିକଟସ୍ଥ କ୍ଷେତରେ କାମ କରୁଥିଲେ । ସେମାନେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଶୁକୃଳି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଛନ୍ତି । ପୁରୁଷ ଜଣକ ଗୁରୁତର ଅଛନ୍ତି । ତାଙ୍କର ଚିକିତ୍ସା ଜାରି ରହିଛି । ଉଭୟ ମହିଳା ଓ ପୁରୁଷ ଖିଚିଂ ଗ୍ରାମର ବୋଲି ଜଣାପଡିଛି । ତେବେ ଦୁହେଁ କ’ଣ ପାଇଁ ଆତ୍ମାହୁତି ଉଦ୍ୟମ କରିଥିଲେ ତାହା ଅଦ୍ୟାବଧି ଅସ୍ପଷ୍ଟ ରହିଛି । ଶୁକୃଳି ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରି ରହିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ