ଜୟପୁର, ୨ ଅଗଷ୍ଟ (ହି.ସ.)-
ଜୟପୁର ସହର ଲିଙ୍ଗରାଜ ନଗର ୧୩ ନମ୍ବର ଲାଇନରେ ଥିବା ଇଭେନ୍ସ ଏକାଡେମୀରେ ଚୋରି ହୋଇଛି । ଦୁର୍ବୁତ୍ତ ମାନେ ୨ଟି ଗେଟ ଭାଙ୍ଗି ଅଫିସ ଭିତରେ ପଶି ଗତକାଲି ରାତ୍ରରେ ଚୋରି କରିଛନ୍ତି । ଡୋନେସନ ବ୍ଲକ୍ସ ଚୋରି ହେବା ସହ ସିସି କ୍ୟାମେରା ଚୋରି ମଧ୍ୟ ହୋଇଛି । ଏନେଇ ଏକାଡେମୀର ଯୋଗେନ୍ଦ୍ର ସେନାପତି ଶନିବାର ଜୟପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସେହିଭଳି ଗତକାଲି ମଧ୍ୟ ଜୟପୁର ଲିଙ୍ଗରାଜ ନଗର ଅଞ୍ଚଳରୁ ତାଲା ଭାଙ୍ଗି ଚୋରି ହୋଇଥିବା ଜଣାପଡିଛି। ଲିଙ୍ଗରାଜ ନଗର ହନୁମାନ ମନ୍ଦିର ନିକଟରେ ଥିବା ସୁରେଶ ଚନ୍ଦ୍ର ପାଢିଙ୍କ ଘରୁ ଗତକାଲି ରାତି ଦୁର୍ବୁତ୍ତ ମାନେ ତାଲାଭାଙ୍ଗି ଘରେ ପଶିବା ସହ ଆଲମିରା ଭାଙ୍ଗି ଚୋରି କରିଥିବା ନେଇ ସୂଚନା ମିଳିଛି। ଶ୍ରୀ ପାଢି ତାଙ୍କ ଭାଇଙ୍କ ଦେହାନ୍ତ ହୋଇଯାଇଥିବା ଯୋଗୁଁ ସେ ପୁରୀ ଯାଇଥିବା ବେଳେ ଘରେ ତାଲା ପଡିଥିଲା। ସକାଳୁ ତାଙ୍କ ଘରେ କାମ କରୁଥିବା ଚାକରାଣି ଆସି କବାଟ ଖୋଲିବା ସମୟରେ ତାଙ୍କ ଘର ଖୋଲା ହୋଇ ରହିଥିବା ସହ ଘରର ଆଲମିରା ମଧ୍ୟ ଖୋଲା ହୋଇଥିବା ଦେଖିଥିଲେ। ପରେ ଚାକରାଣୀ ଜଣକ କବାଟ ଦେଇ ଚାଲିଯାଇଥିଲେ। ଘର ମାଲିକ ଶ୍ରୀ ପାଢି ଆସିବା ପରେ ପ୍ରକୃତରେ କ'ଣ ଚୋରି ହୋଇଛି ତାହା ଜଣାପଡିବ ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି