ଜୟପୁର, ୨ ଅଗଷ୍ଟ (ହି.ସ.)-
ଜୟପୁର ସହରର ଭୁପତି ସାହିର ବାସିନ୍ଦାଙ୍କୁ ସ୍ଥାନୀୟ ଗାନ୍ଧୀଛକ ସ୍ଥିତ ଏକ ଚାରଚକିଆ ସୋରୁମର କର୍ମଚାରୀ ମାନେ ମିଳିତ ହୋଇ ସଂଘବନ୍ଧ ଭାବେ ଆକ୍ରମଣ କରିଥିଲେ । ଏଥିରେ ପୀଡିତ ତଥା ଅଭିଯୋଗକାରୀ ଏ.ଚିନ୍ନାକ୍ରୀଷ୍ଣା (୪୩)ଙ୍କ ନାକ ଫାଟିଯାଇଛି । ଏହିପରି ତାଙ୍କୁ ଜାତିଗତକୁ ନେଇ ଗାଳିଗୁଲଜ କରିଥିବା ନେଇ ଟାଉନଥାନାରେ ମାମଲା ରୁଜୁ ହେବା ସହ ଜଣେ ଡିଏସପି ପାହ୍ୟାର ଅଧିକାରୀ ଆଜି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । କିନ୍ତୁ କୌଣସି ଅଭିଯୁକ୍ତ ଗିରଫ ହୋଇନାହାଁନ୍ତି ବୋଲି ଥାନା ପକ୍ଷରୁ ପ୍ରକାଶ କରାଯାଇଛି ।
ସୂଚନାଯୋଗ୍ୟ, ଗତକାଲି ଅପରାହ୍ନରେ ଉକ୍ତ ସୋରୁମର ଏକ ବୋଲେରୋକୁ ବେପରୁଆ ଭାବେ ଚାଳନା କରୁଥିବା ଜଣେ ମେକାନିକ ହଠାତ ଭୂପତି ସାହି ଭିତରେ ପ୍ରବେଶ କରିବା ସହ ଏଥିରୁ ପୀଡିତ ଏବଂ ତାଙ୍କ ଝିଅ ଅଳ୍ପକେ ବର୍ତ୍ତିଥିଲେ । ଏହାପରେ ପୀଡିତ ଏବଂ ଉକ୍ତ ମେକାନିକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାପରେ ଉକ୍ତ ମେକାନିକ ବୋଲେରୋ ନେଇ ସେଠାରୁ ଚାଲିଯିବା ପରେ ସୋରୁମର ପ୍ରାୟ ୧୦ ରୁ ୧୨ ଜଣ କର୍ମଚାରୀ ମାନେ ଭୂପତି ସାହିରେ ପହଞ୍ଚି ସଂଘବଦ୍ଧ ଭାବେ ଅଭିଯୋଗକାରୀଙ୍କୁ ଆକ୍ରମଣ କରିବା ସହ ରକ୍ତାକ୍ତ କରିଥିଲେ । ଏହିପରି ତାଙ୍କର ନାକର ହାଡ ଭାଙ୍ଗିଯାଇଥିବା ବେଳେ ଜାତିଗତକୁ ନେଇ ଅଶ୍ଳିଳ ଭାଷାରେ ଗାଳିଗୁଲଜ ଏବଂ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଏଥିନେଇ ଗତକାଲି ସଂଧ୍ୟାରେ ଥାନାରେ ସାହି ବାସିନ୍ଦା ପହଞ୍ଚି ଏତଲା ଦେବା ସହ କାର୍ଯାନୁଷ୍ଠାନ ଦାବି କରିଛନ୍ତି । ପୁଲିସ ବିଭିନ୍ନ ଦଫାରେ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି