ଭୁବନେଶ୍ୱର, ୦୨ ଅଗଷ୍ଟ (ହି.ସ)- ଓଡ଼ିଶା ପ୍ରଦେଶ କଂଗ୍ରେସର ଆଦିବାସୀ ବିଭାଗ ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ଯଶୋବନ୍ତ ନାରାୟଣ ସିଂ ଲାଗୁରୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ସାକ୍ଷାତ କରି ଆଦିବାସୀଙ୍କ ଅଧିକାର, ଶିକ୍ଷା ଏବଂ ଜୀବନ ଜୀବିକା ସମ୍ବଳିତ ୧୧ ଦଫା ଦାବି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।
ତୁରନ୍ତ ପେସା ଆଇନ ପାଇଁ ନିର୍ଦ୍ଦେଶାବଳୀ ବା ରୁଲ୍ ଆଣିବା ପାଇଁ ଦାବିରେ ଉଲ୍ଲେଖ କରାଯାଇଛି। ବହୁଭାଷିକ ଶିକ୍ଷା ଯୋଜନାରେ ୨୦୧୪ ପରଠାରୁ ଆଉ ଅଧିକ ବିଦ୍ୟାଳୟ ସାମିଲ କରାଯାଇନାହିଁ କିମ୍ବା ଏଥି ନିମନ୍ତେ ଭାଷା ଶିକ୍ଷକ ନିଯୁକ୍ତି କରାଯାଇନାହିଁ। ଯାହା ଫଳରେ ଅନେକ ପିଲା ମାତୃଭାଷାରେ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ଅଛି। ଜଙ୍ଗଲ ଅଧିକାର ଆଇନର ଜମି ଶିରୋନାମା ଆଧାରରେ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ଜାତି ସାର୍ଟିଫିକେଟ ଦିଆଯାଉନାହିଁ। ଯାହା ଦ୍ୱାରା ଲୋକେ ଶିକ୍ଷା ଏବଂ ଅନ୍ୟାନ୍ୟ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ଗୋଷ୍ଠୀ ଜଙ୍ଗଲ ଅଧିକାର କେବଳ ୧୩ ପ୍ରତିଶତ ସାମ୍ଭାବ୍ୟ ଗାଁକୁ ଦିଆ ଯାଇଛି। ଆଦିବାସୀ ଛାତ୍ର ଛାତ୍ରୀଙ୍କୁ ସମୟରେ ସ୍କୋଲାରସିଫ ମିଳୁ ନଥିବାରୁ ପିଲାମାନଙ୍କ ପାଠପଢ଼ାରେ ଅନେକ ବ୍ୟାଘାତ ସୃଷ୍ଟି ହେଉଛି।
୨୦୧୫ ମସିହାରେ ଓଡ଼ିଶା ସରକାର ଉଚ୍ଚଶିକ୍ଷା କ୍ଷେତ୍ରରେ ସଂଖ୍ୟାନୁପାତିକ ସଂରକ୍ଷଣ ଲାଗୁ କରିବା ପାଇଁ ନିଷ୍ପତି ଦେଇଥିଲେ, ମାତ୍ର ଦୁଃଖର ବିଷୟ ଓଡ଼ିଶା ସରକାର ବୃତିଗତ ଏବଂ ବୈଷୟିକ ଶିକ୍ଷାରେ ୨୩ ପ୍ରତିଶତ ବଦଳରେ କେବଳ ୧୨ ପ୍ରତିଶତ ପ୍ରଦାନ କରୁଛନ୍ତି। ଏହା ଦ୍ୱାରା ବହୁ ମେଧାବୀ ଆଦିବାସୀ ଛାତ୍ର ବୃତିଗତ ଏବଂ ବୈଷୟିକ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି।
ଏହିଭଳି ଗୁରୁତ୍ୱପୂର୍ଣ୍ଣ ସମସ୍ୟାଗୁଡ଼ିକୁ ଓପିସିସି ଦ୍ୱାରା ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏଥିରେ ପ୍ରଦେଶ କଂଗ୍ରେସ କମିଟିର ୩ ସମ୍ପାଦକ ଲକ୍ଷ୍ମୀଧର ସିଂ, ଅନିମା ମିଞ୍ଜ ଓ ମୋହନ ହେମ୍ବ୍ରମ ଏବଂ ବରିଷ୍ଠ ଆଦିବାସୀ ନେତ୍ରୀ ରଞ୍ଜିତା ହେମ୍ବ୍ରମ, ଆଦିବାସୀ ନେତା ମାତରାସ ଡୁଙ୍ଗଡୁଙ୍ଗ, କଟକ ଜିଲ୍ଲା କଂଗ୍ରେସର ଯୁବନେତା ଆକ୍ୟୁବ ଖାନ ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା