ବାରିପଦା, ୩ ଅଗଷ୍ଟ (ହି.ସ.)- ଓଡ଼ିଶା ରାଜସ୍ୱ ଅମଲା ସଂଘର ୧୦ ଦଫା ଦାବି ପୂରଣ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଯାହାକୁ ନେଇ ଅଗଷ୍ଟ ୧୧ରୁ ଅନିର୍ଦ୍ଦିଷ୍ଟ କାଳ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ। ରାଜ୍ୟ କମିଟି ନିଷ୍ପତିକ୍ରମେ ଜିଲ୍ଲା କମିଟିର ବୈଠକ କାର୍ଯ୍ୟକାରୀ ସଭାପତି ସନ୍ତୋଷ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟରତ ରାଜସ୍ୱ ଅମଲା ମାନଙ୍କର ୧୦ ଦଫା ଦାବି ପୂରଣ କରିବାରେ ରାଜ୍ୟ ସରକାର ଆହେତୁକ ବିଳମ୍ବ କରୁଛନ୍ତି। ଜିଲ୍ଲା ସ୍ତରରେ କାର୍ଯ୍ୟରତ ରାଜସ୍ୱ ଅମଲା ମାନଙ୍କ ଦୀର୍ଘ ଦିନର ଦାବି ପୂରଣ କରିବା ପ୍ରତି ରାଜ୍ୟ ସରକାର ବୈମାତୃକ ମନୋଭାବ ପୋଷଣ କରୁଥିବା ଯୋଗୁଁ ଜିଲ୍ଲା ସ୍ତରରେ ଅମଲା ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଦାବି ଗୁଡିକ ମଧ୍ୟରେ ଜିଲ୍ଲାସ୍ତରୀୟ କାର୍ଯ୍ୟରତ ରାଜସ୍ୱ ଅମଲା ମାନଙ୍କ ମୂଳ ଦରମା ଓଆରଏସପି-୨୦୧୭ ନିୟମ ଅନୁଯାଇ ଲେବେଲ-୯ କୁ ବୃଦ୍ଧି କରିବା। ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କ ଦ୍ଵାରା ପ୍ରଦତ ତଥ୍ୟ ଆଧାରରେ ନୂତନ ପଦବୀ ସୃଷ୍ଟି ଓ ପୁନର୍ଗଠନ କରିବା। ଓଡ଼ିଶା ରାଜସ୍ଵ ସେବା ପଦ୍ଧତିରେ ରାଜସ୍ୱ ଅମଲା ମାନଙ୍କୁ ଶତ ପ୍ରତିଶତ ପଦୋନ୍ନତି କରିବା। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ସହ ବିଭିନ୍ନ ସମୟରେ ଏବଂ ବିଭିନ୍ନ ମାଧ୍ୟମରେ ପତ୍ରାଳାପ କରିବା ସହିତ ବିଭିନ୍ନ ସ୍ତରରେ ଆଲୋଚନା ମଧ୍ୟ ହୋଇସାରିଛି। କିନ୍ତୁ, ଉପରୋକ୍ତ ସମସ୍ତ ଆଲୋଚନା ପର୍ଯ୍ୟାଲୋଚନା ପରେ ମଧ୍ୟ ବର୍ତ୍ତମାନ ଯାଏଁ ଫଳ ଶୂନ୍ୟ ହୋଇଛି। ଏହି ପରିପ୍ରେକ୍ଷୀରେ, ରାଜ୍ୟ ସରକାର ଅଗଷ୍ଟ ୧୦ ତାରିଖ ମଧ୍ୟରେ ଯଦି ଉପରୋକ୍ତ ଦାବି ଗୁଡିକ ପୂରଣ ନ କରନ୍ତି। ତେବେ ଅଗଷ୍ଟ ୧୧ ତାରିଖରୁ ସମ୍ପୂର୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ଜିଲ୍ଲା ସମ୍ପାଦକ ରୂପକ କୁମାର ମହାରଣା ପ୍ରକାଶ କରିଥିଲେ।
ଏହି ଅବସରରେ ପରାମର୍ଶଦାତା ପାର୍ଥ ସାରଥୀ ବେହେରା, ଉପ ସଭାପତି ତପନ କୁମାର ବେହେରା, ମନୋଜ କୁମାର ମହାରଣା, ଗୌରୀ ଶଙ୍କର ସାମନ୍ତରାୟ, କୋଷାଧ୍ୟକ୍ଷ ସୁମନ୍ତ କୁମାର ନାଏକ, ଉପ କୋଷାଧ୍ୟକ୍ଷ ଦିପ୍ତିମୟୀ ସେଠି, ଯୁଗ୍ମ ସମ୍ପାଦକ ସତ୍ୟ ରଞ୍ଜନ ପାତ୍ର, ସଂଗଠକ ସମ୍ପାଦକ ତନ୍ମୟ ଦାସ, କାର୍ଯ୍ୟାଳୟ ସମ୍ପାଦକ ସୁନିତା ମହାପାତ୍ର, ସମସ୍ତ ଜିଲ୍ଲା କାର୍ଯ୍ୟ ପରିଷଦ ସଭ୍ୟଙ୍କ ସହ ଜିଲ୍ଲାର କାର୍ଯ୍ୟରତ ସମସ୍ତ ରାଜସ୍ବ ଅମଲା, ଉପବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
ଉପ ସଭାପତି ମନୋଜ କୁମାର ମହାରଣା ସଭା ପରିଚାଳନା କରିଥିଲେ। ସର୍ବଶେଷରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ତପନ କୁମାର ବେହେରା ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ