ଚମ୍ପୁଆ, , 3 ଅଗଷ୍ଟ (ହି.ସ.) ଚମ୍ପୁଆ ବ୍ଲକ ଅନ୍ତର୍ଗତ ଭଣ୍ଡା ଠାରେ ଏକ ଚୋରା ବାଲି ବୋଝେଇ ଟ୍ରାକ୍ଟର ଧକ୍କାରୁ ଅଳ୍ପକେ ବର୍ତ୍ତି ଯାଇଛି ୧୦୮ ଆମ୍ବୁଲାନ୍ସ ଓ ଯାତ୍ରୀବାହି ବସ।
ଖବର ଅନୁସାରେ, ଆଜି ମଧ୍ୟାହ୍ନ ପ୍ରାୟ ୨ଘଟିକା ସମୟରେ ଭଣ୍ଡା ଛକ ଠାରେ ଧବଳେଶ୍ୱର ନାମକ ଯାତ୍ରୀବାହି ବସଟି ଯାତ୍ରୀ ଓହ୍ଲାଇବାକୁ ଛିଡା ହୋଇଥିଲା। ଭଣ୍ଡା ଗୋଷ୍ଠି ଡାକ୍ତରଖାନାରୁ ଏକ ଡ଼ିଏମଏଫ ଆମ୍ବୁଲାନ୍ସ ମଧ୍ୟ ରୋଗୀ ସେବାରେ ଯାଉଥିଲା। ଏହି ସମୟରେ ବେପରୁଆ ଭାବେ ଅତି ଦ୍ରୁତଗତିରେ ଆସୁଥିବା ଏକ ଚୋରା ବାଲି ବୋଝେଇ ଟ୍ରାକ୍ଟର ଧକ୍କାରୁ ଅଳ୍ପକେ ବର୍ତ୍ତି ଯାଇଛି ଆମ୍ବୁଲାନ୍ସ। ଆମ୍ବୁଲାନ୍ସ ଟି ଟ୍ରାକ୍ଟର ଧକ୍କାରୁ ବର୍ତ୍ତି ଯାଇଥିବାବେଳେ ଧବଳେଶ୍ୱର ବସଟି ମଧ୍ୟ ଅଳ୍ପକେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ବସ ଦେହରେ ଟ୍ରାକ୍ଟର ଟ୍ରଲିଟି ଅଳ୍ପ ବାଜିଥିଲେ ମଧ୍ୟ ବସର କୌଣସି କ୍ଷତି ହୋଇ ନ ଥିଲା, କିନ୍ତୁ ବସରେ ବସିଥିବା ଯାତ୍ରୀ ମାନଙ୍କ ମଧ୍ୟରେ ଏକ ଭୟର ବାତାବରଣ ଖେଳି ଯାଇ ଥିଲା। ତେବେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲା ଆମ୍ବୁଲାନ୍ସ ଓ ଯାତ୍ରୀବାହି ବସ। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ପ୍ରକାଶ ଯୋଗ୍ୟକି ଚମ୍ପୁଆ ବ୍ଲକ ଅନ୍ତର୍ଗତ ଭଣ୍ଡା ଅଞ୍ଚଳରେ ବର୍ଷସାରା ବାଲି ମାଫିଆ ମାନେ ଦିନ ଦ୍ୱିପ୍ରହରରେ ବେଧଡ଼କ ଚୋରା ବାଲି ଚାଲାଣ କରୁଥିଲେ ମଧ୍ୟ କୌଣସି ରୋକ ଲଗାଇ ପାରୁନାହିଁ ବିଭାଗ। ଅଧିକ ମୁନାଫା କମାଇବାକୁ ଟ୍ରାକ୍ଟର ମାଲିକ ମାନେ ଅନଭିଜ୍ଞ ଡ୍ରାଇଭର ମାନଙ୍କ ଦ୍ୱାରା ବେଫିକର ଭାବେ ଅହରହ ଦିନରାତି ଚୋରା ବାଲି ଚାଲାଣ କରୁଥିବା ଦେଖିବାକୁ ମିଳୁଛି। ତଥାପି, ଏମାନଙ୍କ ପ୍ରତି ନା ସ୍ଥାନୀୟ ପ୍ରଶାସନର ନଜର ଅଛି ନା ଲଘୁ ଖଣି ଅଧିକାରୀଙ୍କ। ଚା ଖଟିରୁ ନେଇ ହାଟ ଘାଟ ସବୁଠି ବାଲି ମାଫିଆ ଓ ଅଧିକାରୀଙ୍କ ମଧୁଚନ୍ଦ୍ରିକାକୁ ନେଇ ସାଧାରଣରେ ବିଭିନ୍ନ ଆଲୋଚନା ସମାଲୋଚନା ହେଉଥିବା ବେଳେ ବାଲି ମାଫିଆଙ୍କ ଟ୍ରାକ୍ଟର ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ପାଇଁ ଭଣ୍ଡା ଅଞ୍ଚଳର ରାସ୍ତା ଘାଟରେ ଯାତାୟାତ କରିବା ସାଧାରଣ ଲୋକଙ୍କ ପାଇଁ ମରଣ ଯନ୍ତା ପାଲଟିଛି। ତେଣୁ ଏଥିପ୍ରତି ଉଚକର୍ତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି।
---------------
ହିନ୍ଦୁସ୍ଥାନ ସମାଚାର / Trinath Mahanta