ବଲାଙ୍ଗିର, ୩ ଅଗଷ୍ଟ (ହି.ସ.) - ଆଜି ୧୫ତମ ଜାତୀୟ ଅଙ୍ଗଦାନ ଦିବସରେ ସ୍ଥାନୀୟ ସନ୍ଥ ଭୀମ ଭୋଇ ଭେଷଜ ମହା ବିଦ୍ୟାଳୟରେ ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଗ୍ରାମର ଏକ ଦମ୍ପତି ପବିତ୍ର ନାରାୟଣ ନେପାକ ଓ ତାଙ୍କ ସ୍ତ୍ରୀ ଶୋଭନା ମହାପାତ୍ର ସ୍ୱେଛାକୃତ ଭାବେ ନିଜର ମୃତ୍ୟୁ ପରେ ନିଜନିଜର ମରଶରୀରକୁ ଭେଷଜ ମହାବିଦ୍ୟାଳୟକୁ ଦାନ କରିବା ପାଇଁ ସମସ୍ତ ଆବଶ୍ୟକୀୟ କାଗଜ ପତ୍ର ଓ ପରିବାର ବର୍ଗଙ୍କ ସହମତି ପତ୍ର ପ୍ରଦାନ କରିଛନ୍ତି। ଶରୀର ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ଡ଼କ୍ଟର ସନ୍ତୋଷ କୁମାର ସାହୁଙ୍କ କାର୍ଯ୍ୟାଳୟ ରେ ତାଙ୍କ ଉପସ୍ଥିତିର ପ୍ରତିଜ୍ଞା ପତ୍ର ପ୍ରଦାନ କରି ତାଙ୍କର ମର ଶରୀର ଶୈକ୍ଷିକ ଏବଂ ଗବେଷଣାତ୍ମକ କାର୍ଯ୍ୟରେ ବ୍ୟବହୃତ ହେବ ବୋଲି କହିଛନ୍ତି। ଶୈକ୍ଷିକ ଏବଂ ଗବେଷଣା ପାଇଁ ମର ଶରୀର ର ଘୋର ଅଭାବ ଦେଖାଯାଉ ଥିବାରୁ, ଏ ନେଇ ଜନ ସଚେତନତାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପବିତ୍ର ନାରାୟଣ ନେପାକ ପ୍ରକାଶ କରିଥିଲେ। ସ୍ୱେଛାକୃତ ଶରୀର ଦାନ ପାଇଁ ସେ ନିଜ ବଡଭାଇ ଶ୍ରୀ ଶୁଭେନ୍ଦ୍ର ନେପାକ ଓ ଢେଙ୍କାନାଳର ମଉସା ସ୍ୱର୍ଗତ ଅଜୟ କୁମାର ନାଥ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେଲେ ବୋଲି ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ