ମୁଖୀଗୁଡା, ୩ ଅଗଷ୍ଟ (ହି.ସ.)- ମଣ୍ଡିରେ ଧାନବିକ୍ରି ପାଇଁ ଚାଷୀ ପଞ୍ଜିକରଣ ନିମନ୍ତେ କରିଥିବା ଜମିର ଖଜଣା ପାଉତି ବାଧ୍ୟତାମୂଳକ କରାଯାଉଥିବା ବେଳେ ଖଜଣା ପାଉତି ପାଇଁ ଜୟପାଟଣା ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟକୁ ଯାଇ ଚାଷୀ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚାଷୀ ୨୦୨୪-୨୫ରେ ସମସ୍ତ ଖଜଣା ପ୍ରଦାନ କରିଥିଲେ ହେଁ କମ୍ପୁଟରରେ ବକେୟା ଥିବା ଦର୍ଶାଉଥିବାରୁ ଚାଷୀ କମ୍ପୁଟର ଦୋକାନରୁ ଆରଆଇ ଅଫିସକୁ ଧାଇଁବାକୁ ପଡୁଛି । ଆରଆଇ ଅଫିସରେ ଭିଡ଼ ଜମୁଥିବାରୁ ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି । ଜୟପାଟଣା ଆରଆଇ ଅଫିସରେ ଚାଷୀ ଦେଇଥିବା ଖଜଣାର ଅପଡେଟ ୨୦୨୧ରୁ କରାଯାଇ ନଥିବାରୁ ଅନଲାଇନ ଖଜଣା ଦେୟ କଲେ ବକେୟା ଦେଖାଉଛି। ଜୟପାଟଣା ଆରଆଇ ଅଫିସକୁ ଜୟପାଟଣା, ପ୍ରତାପପୁର, ଚିର୍କା ଅଞ୍ଚଳର ଅନେକ ଚାଷୀଙ୍କ ବକେୟା ଖଜଣା ରହିଥିବା ଜାଣିବାକୁ ପାଇ ଆରଆଇ ଅଫିସକୁ ଅପଟୁଡେଟ ପାଇଁ ଯାଇ ଭିଡ଼ ଥିବା ଯୋଗୁଁ ବହୁ ସମୟ ଅପେକ୍ଷା କରିଥିଲେ । ହେଲେ ଏଠାରେ ପ୍ରଶ୍ନ ଉଠୁଛିଯେ ଅପଟୁଡେଟ କରିବା ଦାୟିତ୍ୱ କାହାର । କାହାର ଅଵହେଳା ପାଇଁ ଏଭଳି ପରିସ୍ଥିତି ହେଉଛି । ଜିଲ୍ଲା ପ୍ରଶାସନ ଅନଲାଇନ ଦେୟ ଉପରେ ଗୁରୁତ୍ୱ ଦେଉଥିବା ବେଳେ ଅନଲାଇନ ଖଜଣା ଦେୟ ପାଇଁ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାର ପ୍ରତିକାର ପାଇଁ ଦାବି ହେଉଛି ।
ହିନ୍ଦୁସ୍ଥାନ ସମାଚାର / ନିହାର ରଂଜନ ବେହେରା |