ମାଲକାନଗିରି, ୩ ଅଗଷ୍ଟ (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ ପି ଭି -୬୪/୧୦ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ମାତ୍ର ୫ ହଜାର ଟଙ୍କା ପାଇଁ ଜଣେ ଠିକାଦାର ଜଣେ ୨୧ ବର୍ଷୀୟ ଯୁବକଙ୍କୁ ପ୍ରଥମେ ଅପହରଣ ଓ ପରେ ହତ୍ୟା କରିଥିବା ପରି ସଂଗୀନ ଅଭିଯୋଗ ମୋଟୁ ଥାନାରେ ହୋଇଛି । ଅଭିଯୋଗ ପାଇବା ପରେ ମୋଟୁ ପୁଲିସ ଠିକାଦାର ଓ ତାଙ୍କର ଜଣେ ସହଯୋଗୀଙ୍କୁ ଥାନାରେ ଅଟକ ରଖି ଅନୁସନ୍ଧାନ ଆରମ୍ଭ କରିଥିବାର ସୂଚନା ମିଳିଛି ।
ସୂଚନା ମୁତାବକ, ମୋଟୁ ଥାନା ଅନ୍ତର୍ଗତ ଏମପିଭି ୮୧ ଗ୍ରାମର ଠିକାଦାର ଅନନ୍ତ ହାଲଦାର ଓ ତାଙ୍କ ସହଯୋଗୀ ସୁଜିତ ରାୟ ଶୁକ୍ରବାର ଅପରାହ୍ନ ୫ଟା ସମୟରେ ଏମପିଭି -୬୪ ଗ୍ରାମକୁ ଆସି ବାପି ମଣ୍ଡଳ ନାମକ ଜଣେ ୨୧ ବର୍ଷୀୟ ଯୁବକଙ୍କୁ ଘରୁ ଜୋର ଜବରଦସ୍ତ ହାତ ବାନ୍ଧି ଏକ ଗାଡି ଯୋଗେ ନିଜ ଘରକୁ ଅପହରଣ କରି ନେଇଯାଇଥିଲେ । ଏହି ସମୟରେ ସେ ମୋ ସ୍ତ୍ରୀ ଗର୍ଭବତୀ ଅଛି ଦୁଇ- ତିନି ଦିନ ମଧ୍ୟରେ ପ୍ରସବ ହେବାର ଅଛି ତା' ପରେ କାମକୁ ଯିବି କହିବା ପରେ ମଧ୍ୟ ସ୍ତ୍ରୀ ସମ୍ମୁଖରେ ତାକୁ ନେଇଯାଇଥିଲେ। ତେବେ ଶନିବାର ସକାଳୁ ବାପି ମରିଯାଇଛି ବୋଲି ଠିକାଦାର ଜଣକ ଏମପି ଭି- ୬୪ ଗ୍ରାମର ଗାଁ ସଭାପତିଙ୍କୁ ଜଣାଇଥିଲେ । ଏହାପରେ ମୃତ ଯୁବକଙ୍କ ଅଜା ମୋଟୁ ଥାନାରେ ମୋ ନାତିକୁ ଠିକାଦାର ମାତ୍ର ୫ ହଜାର ଟଙ୍କା ପାଇଁ ଅପହରଣ କରି ହତ୍ୟା କରିଥିବାର ଅଭିଯୋଗ କରିଥିଲେ । ମୃତ ଯୁବକ ଜଣକ ଠିକାଦାର ନିକଟରେ ରହି ଆନ୍ଧ୍ର ପ୍ରଦେଶରେ ଦାଦନ ଖଟୁଥିଲା ବୋଲି ଜଣାପଡ଼ିଛି । ମୋଟୁ ପୋଲିସ ଶବ ଜବତ କରି କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବ୍ୟବଛେଦ ନିମନ୍ତେ ପଠାଇ ତଦନ୍ତ ଚଳାଇଛି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ