ବାରିପଦା, ୩ ଅଗଷ୍ଟ (ହି.ସ.)- ଆଜି ବାରିପଦା ପୌରପାଳିକା ତରଫରୁ ପୌରପାଳିକା ଅତିଥି ଭବନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ଯୋଜନା (ସହରୀ) କାର୍ଯ୍ୟାଦେଶ ସହିତ ଜଙ୍ଗଲ ଜମି ପଟ୍ଟା ଓ ଭୂମିହୀନ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାରିପଦା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ତହସିଲଦାର ସପନ କୁମାର ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହିତାଧିକାରୀ ମାନଙ୍କୁ ଆବାସ ଯୋଜନାର କାର୍ଯ୍ୟାଦେଶ, ଜଙ୍ଗଲ ଜମିପଟ୍ଟା ଇତ୍ୟାଦି ପ୍ରଦାନ କରିବା ସହ ନଗର ଉନ୍ନୟନ ବିଭାଗର ନୂତନ ଯୋଜନା ଅନୁସାରେ ବାରିପଦା ସହରକୁ ଦେଶର ଏକ ନମ୍ବର ସହର ଭାବେ ପରିଚିତ କରିବା ପାଇଁ ପରିକଳ୍ପନା କରାଯାଇଛି । ସହରର ବିଭିନ୍ନ ପ୍ରକାର ବିକାଶ ପାଇଁ ବାସଭୂମିର ସୀମିତତା ହେତୁ ଏହାର ପରିସୀମା ପରିବ୍ୟାପ୍ତ କରାଯିବ । ପୌରପାଳିକା ତରଫରୁ ବିଭିନ୍ନ ବର୍ଗର ଗୃହ ନିର୍ମାଣ କରାଯାଇ ଆବଶ୍ୟକ ଅନୁସାରେ ଲୋକଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯିବା ସହିତ ସହରକୁ ସମ୍ପୂର୍ଣ୍ଣ ବସ୍ତିମୁକ୍ତ ଅଂଚଳ କରାଯିବା ନେଇ ଯୋଜନା କରାଯାଉଛି ବୋଲି କହିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଉପାଧ୍ୟକ୍ଷା ସୀମା ଦାସ, ଅତିରିକ୍ତ ତହସିଲଦାର ଶ୍ରୀକାନ୍ତ ନାୟକ ଏବଂ ଭରତ ପାତ୍ର, ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ଶୁଭଶ୍ରୀ ମଲ୍ଲିକ ପ୍ରମୁଖ ଯୋଗ ଦେଇ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଗୁଡିକ ସମ୍ପର୍କରେ ହିତାଧିକାରୀମାନଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ସହରର ବିଭିନ୍ନ ୱାର୍ଡର ୪୯ ଜଣ ହିତାଧିକାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ, ୩୫ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ଓ ବସୁନ୍ଧରା ଯୋଜନା ଅନ୍ତର୍ଗତ ୧୩ ଜଣ ହିତାଧିକାରୀଙ୍କୁ ଭୂମିହୀନ ପଟ୍ଟା ବଣ୍ଟନ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ