ଭୁବନେଶ୍ୱର, ୩ ଅଗଷ୍ଟ (ହି.ସ.) – ବୌଦ୍ଧ ଜିଲ୍ଲାରେ ପଦସ୍ଥାପିତ ମୋଟର ଭେହିକଲ୍ ଇନ୍ସପେକ୍ଟର୍ ଗୋଲାପ ଚନ୍ଦ୍ର ହାଂସଦା ବିରୁଦ୍ଧରେ ଆୟରୁ ଅଧିକ ସମ୍ପତି ଠୁଳ କରିବା ଅଭିଯୋଗରେ ଓଡିଶା ଭିଜିଲାନ୍ସ ଏକା ସମୟରେ ଛଅଟି ସ୍ଥାନରେ ଚଢାଉ କରିଛି । ଏହି କାର୍ଯ୍ୟାନୁଷ୍ଠାନ ବାରିପଦା ବିଶେଷ ନ୍ୟାୟାଧୀଶ (ଭିଜିଲାନ୍ସ) ଦ୍ୱାରା ଜାରି କୃତ ସର୍ଚ୍ଚ ୱାରେଣ୍ଟ ଜରିଆରେ କରାଯାଇଛି ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଭିଜିଲାନ୍ସ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଭିଜିଲାନ୍ସ ଟିମ୍ରେ ୪ ଜଣ ଉପ ପୋଲିସ୍ ଅଧୀକ୍ଷକ (ଡିଏସ୍ପି), ୭ ଜଣ ଇନ୍ସପେକ୍ଟର୍ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି । ସେମାନେ ମୟୂରଭଞ୍ଜ, ବୌଦ୍ଧ ଓ ଖୋର୍ଦ୍ଧା ଜିଲ୍ଲାରେ ଥିବା ଠିକଣାଗୁଡ଼ିକୁ ଲକ୍ଷ୍ୟ କରି ସମନ୍ୱିତ ଭାବରେ ଛାପାମାରି କରୁଛନ୍ତି।
ଯେଉଁ ସ୍ଥାନଗୁଡ଼ିକରେ ଚଢାଉ ଅଭିଯାନ ଚାଲିଛି, ସେଗୁଡ଼ିକରେ ବାରିପଦା ପ୍ରଫୁଲ୍ଲନଗରରେ ଅବସ୍ଥିତ ଶ୍ରୀ ହାଂସଦାଙ୍କର ବ୍ୟକ୍ତିଗତ ଘର, ବୌଦ୍ଧରେ ତାଙ୍କର ଭଡ଼ାଘର, ବୌଦ୍ଧ ଠାରେ ଆରଟିଓ କାର୍ଯ୍ୟାଳୟରେ ତାଙ୍କ କାର୍ଯ୍ୟାଳୟ ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ଥାନା ଅଂଚଳରେ ପଡ଼ୁଥିବା ଗାଁ ଗୁଡିଡିହାରେ ତାଙ୍କ ପୈତୃକ ଘର, ଭୁବନେଶ୍ୱର ପଣ୍ଡାରାରେ ତାଙ୍କର କନ୍ୟାଙ୍କ ଭଡ଼ା ଫ୍ଲାଟ୍, ଏବଂ ବାରିପଦା ୱାର୍ଡ୍ ନମ୍ବର ୨୮ ଅଂଚଳର ବାଘଦିହାରେ ତାଙ୍କର ଜଣେ ଘନିଷ୍ଠ ସହଯୋଗୀଙ୍କ ଘର ସାମିଲ ଅଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ