ସମ୍ବଲପୁର, ୦୩ ଅଗଷ୍ଟ (ହି.ସ.)ପବ୍ଲିକ ଲାଇବ୍ରେରୀର ନିଜସ୍ୱ ପ୍ରେକ୍ଷାଳୟରେ ୨୦୨୫ ବର୍ଷ ପାଇଁ ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ପଞ୍ଚଦଶ ସପ୍ତାହର ଶିକ୍ଷାଦାନ ସମାପନ ହୋଇଯାଇଛି। ପୂଜାର୍ଚ୍ଚନା ଓ ପ୍ରାର୍ଥନା ପରେ ପ୍ରଥମ ଅଧିବେଶନ ନୈତିକ ଶିକ୍ଷା ଆଧାରରେ ସ୍ମରଣ ଶକ୍ତି ବୃଦ୍ଧିର ବିଭିନ୍ନ କୌଶଳ ଉପରେ ଆଲୋଚନା କରିଥିଲେ ବିଶିଷ୍ଟ ଡାକ୍ତର ଲକ୍ଷ୍ମୀନାରାୟଣ ରଥ । ବୈଜ୍ଞାନିକଙ୍କ ତଥ୍ୟକୁ ଉଦାହରଣ ସହ ବ୍ୟାଖ୍ୟା କରି ଶୃଙ୍ଖଳିତ ଜୀଵନ ଶୈଳୀ ହିଁ ମଣିଷର ସ୍ମରଣ ଶକ୍ତି ବୃଦ୍ଧି ପାଇଁ ସହାୟକ ହୁଏ ବୋଲି ସେ ଉଦାହରଣ ସହ ବୁଝାଇଥିଲେ।
ଦ୍ଵିତୀୟ ଅଧିବେଶନରେ ସଂଯୋଜକ ରାଜେନ୍ଦ୍ର ପଣ୍ଡା ସମ୍ବଲପୁର ଉପରେ ପିଲାଙ୍କ ସାଧାରଣ ଜ୍ଞାନ ପରୀକ୍ଷା ପାଇଁ 'ମୁଁ ସମ୍ଵଲପୁରକୁ କେତେ ଜାଣେ' ଶୀର୍ଷକ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ପିଲାଙ୍କୁ ସମ୍ବଲପୁର ଜିଲ୍ଲାର ଐତିହ, ସଂସ୍କୃତି, ପରମ୍ପରା, କଳା ଓ କଳାକାର, ମନ୍ଦିର, ଚଳଚିତ୍ର, ସ୍ୱାଧୀନତା ସଂଗ୍ରାମୀ, ମହାପୁରୁଷ ଓ ସାହିତ୍ୟ ଉପରେ ବିଭିନ୍ନ ପ୍ରଶ୍ନ ସହ ଅଡିଓ ଭିଡିଓରେ ପିଲାଙ୍କ ମଧ୍ୟରେ ଜାଣିବା ଆଗ୍ରହ ସୃଷ୍ଟି କରାଇଥିଲେ । କାର୍ଯ୍ୟକ୍ରମର ସଂଯୋଜକ ଆରମ୍ଭରୁ ପିଲାଙ୍କୁ ମୌଳିକ ଇଂରାଜୀ ଶିକ୍ଷାପ୍ରଦାନ ସହ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ସିଦ୍ଧାର୍ଥ, ଗୌରବ, ସୌରଭ, ଆଶୁତୋଷ, ସୋନାଲି, ମୋନାଲି, ସାକ୍ଷୀ ଓ ଫତିମା ପ୍ରମୁଖ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ଯକ୍ରମରେ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ପ୍ରଫେସର ଶଙ୍କର ପ୍ରସାଦ ପତି, ପ୍ରଫେସର ଦେବେନ୍ଦ୍ର ପଣ୍ଡା, ଡାକ୍ତର ଜୟଦେବ ମେହେର, ସମ୍ପାଦକ ରଘୁନାଥ ମିଶ୍ର, ଅର୍ଜୁନ ରଞ୍ଜନ ପଣ୍ଡା, ଓ ଶିକ୍ଷାବିତ ଉଦିତ ପାଟଯୋଶୀ ପ୍ରମୁଖ ପିଲାମାନଙ୍କୁ ପ୍ରୋତ୍ସାହିତ କରିଥିଲେ । ବିଜୟ ସାହୁ ବୈଷୟିକ ସାହାଯ୍ୟ ପ୍ରଦାନ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ୧୮ ଟି ବିଦ୍ୟାଳୟରୁ ମୋଟ୍ ୫୧ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ