ଗଞାମ, ୪ ଅଗଷ୍ଟ (ହି.ସ.)-
ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ବାତରୋଗ ନିରାକରଣ ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ ବାତ ଅଶୀ ପ୍ରକାରର ରହିଛି। ଗ୍ରୀଷ୍ମ ଋତୁରେ ଶରୀର ଦୁର୍ବଳ ଥାଏ, ବର୍ଷା ଋତୁରେ ଅଗ୍ନିମାନ୍ଦ୍ୟ ରହେ ଅଜୀର୍ଣ୍ଣ କାରକ ଆହାର ଦ୍ଵାରା ଆମ ସଞ୍ଚୟ ହୋଇ ଯୁବକଙ୍କ ଠାରୁ ବୃଦ୍ଧ ଯାଏଁ ଗଣ୍ଠିବାତ ରୋଗ ଦେଖାଯାଏ l ନିରାମିଷ ଆହାର, ପନିର, ଖଟା, ମଦ୍ୟପାନ,ଅଜୀର୍ଣ୍ଣ କାରକ ଖାଦ୍ୟ, ଅଧିକ ବେଗରେ ଗାଡି ଚଳାଇବା, ଶାରିରୀକ ପରିଶ୍ରମ ନକରିବା ବା ଅଧିକ ପରିଶ୍ରମ କରିବା, ଅଧିକ ରାତ୍ର ଯାଏଁ ଅନିଦ୍ରା ରହିବାଆଦି ଦ୍ଵାରା ଆମବାତ, ଗଣ୍ଠିବାତ, ବୃହତ୍ ସନ୍ଧିବାତ ହୁଏ l ଉପରୋକ୍ତ କାରଣ ସବୁ ଛାଡ଼ି ହଜମ ହେଉଥିବା ଖାଦ୍ୟ ଖାଇବେ, ଶାରିରୀକ ପରିଶ୍ରମ, ଯୋଗ, ଆସନ କରିବେ,ସଜନା ଶାଗ,ଅଦା ବା ଶୁଣ୍ଠି ଚୁର୍ଣ୍ଣ, ରସୁଣ,ଚଣା ଜାତୀୟ ଖାଦ୍ୟ ଖାଇବେ ଓ ତୈଳ ଅଭ୍ୟଙ୍ଗ କରି ଦୁଦୁରା ପତ୍ର ବା ବେଗୁନିଆ ପତ୍ର ସିଝା ସେକ ଦେବା ପାଇଁ ପରାମର୍ଶ ଦେଇଥିଲେ l
ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ,ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ରାଓ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ