ସୁବର୍ଣ୍ଣପୁର, ୪ ଅଗଷ୍ଟ (ହି.ସ.)- ଜିଲ୍ଲାପାଳଙ୍କୁ ଜିଲ୍ଲାର ଉନ୍ନୟନ ସଂପର୍କିତ କିଛି ପଦକ୍ଷେପ ଗ୍ରହଣ ପାଇଁ ସାମ୍ବାଦିକ ସଂଘର ଦୃଷ୍ଟି ଆକର୍ଷଣ ସହ ସ୍ଥାନୀୟ ବସଷ୍ଟାଣ୍ଡର ଦୁରାବସ୍ଥା ସଂପର୍କରେ କହି ଯାତ୍ରୀ ବିଶ୍ରାମାଗାର ନଥିବା ହେତୁ ଯାତ୍ରୀ ଭୋଗୁଥିବା ଅକଥନୀୟ ଦୁର୍ଦ୍ଦଶା ସଂପର୍କରେ ସୂଚନା ଦେବାପରେ ହଠାତ୍ ଆଜି ସକାଳୁ ହିଁ ଜିଲ୍ଲାପାଳ ଡ଼.ନୃପରାଜ ସାହୁ ସ୍ଥାନୀୟ ବସଷ୍ଟାଣ୍ଡକୁ ଅଚାନକ ପରିଦର୍ଶନରେ ଆସି ଉପସ୍ଥିତ ଯାତ୍ରୀ, ବୁଦ୍ଧିଜୀବୀ, ଓଟୋ, ବସ ମାଲିକ, ସାମ୍ୱାଦିକ, ପୌର ପରିଷଦ ଅଧିକାରୀ, ଯନ୍ତ୍ରୀ ଓ ପ୍ରାକ୍ତନ ପୌର ଅଧ୍ୟକ୍ଷଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ l ବସଷ୍ଟାଣ୍ଡରେ ଖାଲ ଖମାକୁ ମରାମତି କରିବା ସହ ତୁରନ୍ତ ଏକ ଅସ୍ଥାୟୀ ଯାତ୍ରୀ ବିଶ୍ରାମାଗାର ନିର୍ମାଣ କରିବାକୁ ପୌର ପରିଷଦ ଅଧିକାରୀ ଓ ବିଭିନ୍ନ ଅଧିକାରୀଙ୍କୁ ସ୍ପଟ୍ ରୁ ନିର୍ଦ୍ଦେଶ କରିଥିଲେ l
ନିକଟସ୍ଥ ସୌଚାଳୟକୁ ପରିଦର୍ଶନ କରି ଏହାର ସଫା ସୁତରା ଦେଖି ପରିଚାଳକଙ୍କୁ ଜିଲ୍ଲାପାଳ ପ୍ରଶଂସା କରିଥିଲେ l ନୂଆ ବସଷ୍ଟାଣ୍ଡର ଟେଣ୍ଡର ପ୍ରକ୍ରିୟା ବିଷୟରେ ଏଠାରେ ଲୋକଙ୍କ ସମ୍ମୁଖରେ ଅଧିକାରୀଙ୍କ ଠାରୁ ବୁଝି ଥିଲେ ଜିଲ୍ଲାପାଳ ଓ ଏହାର ପ୍ରକ୍ରିୟା ସରି ଯାଇଥିବା ଓ ଶୀଘ୍ର କାମ ଆରଂଭ ହେବାକୁ ଥିବା ବିଷୟ ଜିଲ୍ଲାପାଳଙ୍କୁ ସୂଚନା ଦେଇଥିଲେ ଅଧିକାରୀ l ପରେ ବିଜୁ ପଟ୍ଟନାୟକ ମହିଳା କଲେଜରେ ପହଞ୍ଚି ଛାତ୍ରୀ ଓ ଅଧ୍ୟାପକଙ୍କ ସହ ଆଲୋଚନା କରି ବିଭିନ୍ନ ସମସ୍ୟା ଉପରେ ଅବଗତ ହୋଇଥିଲେ ଓ ନିର୍ମାଣ।ଧିନ ନୂଆ କଲେଜ ର କାର୍ଯ୍ଯ କିଭଳି ଶୀଘ୍ର ସମ୍ପୂର୍ଣ୍ଣ ହେବ ଓ ସେଠାରେ ଥିବା କଲେଜକୁ ରାସ୍ତା ସମସ୍ୟା ଉପରେ କଲେଜ କର୍ତୃପକ୍ଷ ଓ ଛାତ୍ରୀ ମାନେ ଅବଗତ କରାଇଥିଲେ l ଜିଲ୍ଲାପାଳଙ୍କ ଆଜିର ଏ ଗସ୍ତ କୁ କଲେଜ୍ ଛାତ୍ରୀ ଓ ଅଧ୍ୟାପକ ସମେତ ବସଷ୍ଟାଣ୍ଡ ର ବସଯାତ୍ରୀ ଓ ବୁଦ୍ଧିଜୀବୀ ଖୁବ୍ ପ୍ରଶଂସା କରିଥିଲେ l ଦୀର୍ଘ ବର୍ଷର ନୂଆ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବାକୁ ଥିବା ବିଷୟ ଶୁଣି ସାଧରଣ ଲୋକଙ୍କ ମଧ୍ୟରେ ଆଶା ଉଜ୍ଜୀବିତ ହୋଇଥିବା ଜଣାଯାଇଛି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ