ବଲାଙ୍ଗିର, ୪ ଅଗଷ୍ଟ (ହି.ସ.)- ଇତି ମଧ୍ୟରେ ବମ୍ବେ ହାଇକୋର୍ଟର ଚତୁର୍ଥ ବେଂଚ କୋହ୍ଲାପୁର ଠାରେ ଖୋଲିବାକୁ ନିଷ୍ପତି ନିଆଯାଇଛି। ପୂର୍ବରୁ ନାଗପୁର, ଔରଙ୍ଗାବାଦ ଓ ଗୋଆ ନିକଟବର୍ତି ଅଂଚଳରେ ୩ଟି ବେଂଚ ଥିବା ବେଳେ ଚତୁର୍ଥ ବେଂଚ କୁ ଅନୁମୋଦନ ମିଳିଛି । ଏହି ବେଂଚ ୬ଟି ଜିଲ୍ଲାର ମୋକଦ୍ଦମା ବିଚାର କରିବ ବୋଲି ନିଷ୍ପତ୍ତି ହୋଇଛି। ବମ୍ବେ ହାଇକୋର୍ଟ ଛଡା କର୍ଣ୍ଣାଟକ ହାଇକୋର୍ଟ, ମାଡ୍ରାସ ହାଇକୋର୍ଟ, ଆଲ୍ଲାବାଦ ହାଇକୋର୍ଟ, ଗୌହାଟି ହାଇକୋର୍ଟ, ମଧ୍ୟ ପ୍ରଦେଶ ହାଇକୋର୍ଟ, କେରଳ ହାଇକୋର୍ଟ ଓ ଅନ୍ୟ କିଛି ହାଇକୋର୍ଟ ର ମଧ୍ୟ ସ୍ଥାୟୀ ହାଇକୋର୍ଟ ବେଂଚ ରହିଛି । ଓଡିଶା ହାଇକୋର୍ଟ ଠାରୁ କୋଶଳାଂଚଳର ବିଭିନ୍ନ ଜିଲ୍ଲାର ଦୂରତ୍ୱ, ମୋକଦ୍ଦମା ସଂଖ୍ୟା, ଲୋକଙ୍କ ଅର୍ଥନୈତିକ ଅବସ୍ଥା ଓ ଅନ୍ୟାନ୍ୟ ବିଷୟବସ୍ତୁକୁ ଆଖି ଆଗରେ ରଖି ଯଶୋବନ୍ତ ସିଂ କମିଶନ ର ରିପୋର୍ଟ ଅନୁଯାୟୀ କୋଶଳାଂଚଳରେ ଓଡିଶା ହାଇକୋର୍ଟର ଏକ ସ୍ଥାୟୀ ବେଂଚ ସ୍ଥାପନ ପାଇଁ ଦୀର୍ଘ ୪ଦଶକ ହେଲା ଦାବି କରାଚାଲିଛି । ଏହି ଦାବୀକୁ ନେଇ ଗତ ୧୫ ବର୍ଷ ଧରି ଆଇନଜୀବୀ ଓ ଜନସାଧାରଣଙ୍କ ତରଫରୁ ସାରା କୋଶଳାଂଚଳରେ ଲମ୍ବା ଲଢେଇ ମଧ୍ୟ ହୋଇଥିଲା। ବର୍ତମାନ ସରକାର ଚଳାଉଥିବା ବିଜେପି ଦଳ ସେତେବେଳେ ବିରୋଧୀ ଦଳରେ ସେମାନେ କ୍ଷମତାକୁ ଆସିଲେ କୋଶଳାଂଚଳରେ ହାଇକୋର୍ଟ ବେଂଚ ସ୍ଥାପନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ତେଣୁ ବର୍ତମାନ ଉଭୟ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଂଜିନ ସରକାର ଚାଲିଥିବା ବେଳେ ଏହି ବେଂଚ ସ୍ଥାପନ କରିବା ହେଉଛି ସରକାରଙ୍କ ତତରଦାୟିତ୍ୱ। ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରରେ କୋଶଳାଂଚଳର ବଳିଷ୍ଠ ପ୍ରତିନିଧିତ୍ୱ ରହିଛି । ବିଶେଷ କରି କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଏହି ଅଂଚଳରୁ ୨ଜଣ ପ୍ରଭାବଶାଳୀ କେନ୍ଦ୍ରମନ୍ତ୍ରୀ ସ୍ଥାନିତ ହୋଇଥିବା ବେଳେ ଓଡିଶା ସରକାରଙ୍କ ମନ୍ତ୍ରୀମଣ୍ଡଳରେ ଏ ଅଂଚଳରୁ ଉପ-ମୁଖ୍ୟମନ୍ତ୍ରୀ ଓ ବହୁ ପ୍ରଭାବଶାଳୀ ମନ୍ତ୍ରୀ ସ୍ଥାନିତ ହୋଇଛନ୍ତି । ବିଗତ ନିର୍ବାଚନରେ କୋଶଳାଂଚଳରୁ ବିଜେପି ମଧ୍ୟ ପ୍ରବଳ ସମର୍ଥନ ପାଇଛି। ଏଭଳି ସ୍ଥଳରେ କୋଶଳାଂଚଳରେ ହାଇକୋର୍ଟର ସ୍ଥାୟୀ ବେଂଚ ସ୍ଥାପନ କରି ବିଜେପି ସରକାର ତା'ର ପ୍ରତିଶୃତି ରକ୍ଷା କରୁ ବୋଲି ବିଶିଷ୍ଟ କୋଶଳବାଦୀ ନେତା ପ୍ରମୋଦ କୁମାର ମିଶ୍ର ଆହ୍ୱାନ ଦେଇଛନ୍ତି । କୋଶଳାଂଚଳରେ ହୋଇକୋର୍ଟର ସ୍ଥାୟୀ ବେଂଚ ଦାବୀକୁ ନେଇ ଏ ଅଂଚଳର ନିର୍ବାଚିତ ପ୍ରତିନିଧିମାନେ ତୁରନ୍ତ ସରକାରଙ୍କୁ ପ୍ରଭାବିତ କରନ୍ତୁ ବୋଲି ଶ୍ରୀ ମିଶ୍ର ଦାବୀ କରିଛନ୍ତି ।
କୋଶଳାଂଚଳର ଦୁଇଟି ମୁଖ୍ୟ ଦାବୀ ହେଲା ସମ୍ବିଧାନର ଧାରା ୩ ଅନୁଯାୟୀ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଓ କୋଶଳାଂଚଳରେ ହାଇକୋର୍ଟର ସ୍ଥାୟୀ ବେଂଚ ସ୍ଥାପନ। ଉଭୟ ଦାବୀ ହାସଲ କରିବା ପାଇଁ ଲମ୍ବା ଲଢେଇ କରିବାକୁ ପଡିିବ । ଏଥିପାଇଁ କୋଶଳାଂଚଳର ଜନସାଧାରଣ ଛୋଟ ଛୋଟ ଗୋଷ୍ଠୀରେ ବିଭକ୍ତ ନହୋଇ ଦଳୀୟ ବିଚାରଧାରା ଓ ଅଂଚଳଗତ ବିଚାରଧାରରୁ ଉର୍ଦ୍ଧ୍ୱକୁ ଆସି ଏକାଠି ଲଢିବାକୁ ସମର୍ପିତ ହୁଅନ୍ତୁ ବୋଲି ଶ୍ରୀ ମିଶ୍ର ଆହ୍ୱାନ ଦେଇଛନ୍ତି ।
ଏହି ଦାବି ନେଇ ଖୁବ୍ ଶିଘ୍ର କୋଶଳ ଆନ୍ଦୋଳନ ତରଫରୁ ଏକ ପ୍ରତିନିଧି ଦଳ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଖକୁ ଯିବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ