ଭୁବନ, ୪ ଅଗଷ୍ଟ (ହି.ସ.)- ଢେ଼ଙ୍କାନାଳ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭୁବନର ବାବା ବୁଦ୍ଧେଶ୍ଵରଙ୍କ ମନ୍ଦିରରେ ଶ୍ରାବଣ ମାସର ଶେଷ ସୋମବାରରେ ଜଳଲାଗି କରିବାକୁ କାଉଡ଼ିଆଙ୍କ ଅସମ୍ଭବ ଭିଡ ହୋଇଥିଲା । ରବିବାର ସନ୍ଧ୍ୟାରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହଜାର ଶୈବ ଭକ୍ତ ନିଜର ମାନସିକ ପୂରଣ ପାଇଁ ଆସି ପହଞ୍ଚିଥିଲେ । ପୂଣ୍ୟତୋୟା ବ୍ରାହ୍ମଣୀ ନଦୀରୁ ଜଳ ଆଣି ବାବା ବୁଦ୍ଧେଶ୍ଵରଙ୍କୁ ଜଳ ଲାଗି କରିଥିଲେ । ହର ହର ମହାଦେବ ଧ୍ବନିରେ ମନ୍ଦିର ପରିସର ପ୍ରକମ୍ପିତ ହୋଇଥିଲା । ଶେଷ ସୋମବାରରେ ପ୍ରାୟ ଦଶ ହଜାରରୁ ଉର୍ଦ୍ଧ୍ୱ କାଉଡ଼ିଆ ଶୃଙ୍ଖଳିତ ଭାବେ ଧାଡ଼ିରେ ଯାଇ ବୁଦ୍ଧେଶ୍ୱରଙ୍କୁ ଜଳ ଲାଗି କରିଥିଲେ । ଶ୍ରୀ ଗଣେଶ ଚାରିଟେବୁଲ ଟ୍ରଷ୍ଟ ତରଫରୁ ବୁଦ୍ଧେଶ୍ଵର ମନ୍ଦିର ପରିସରରେ ଏବଂ ଶିବଶକ୍ତି ସେବା ସଂଗଠନ ତରଫରୁ ନୂଆ ଭୁବନ ଛକରେ କାଉଡ଼ିଆଙ୍କ ପାଇଁ ପ୍ରାଥମିକ ଚିକିତ୍ସା, ସେବା କେନ୍ଦ୍ର, ଜଳପାନ ଓ ଭୋଜନ ବ୍ୟବସ୍ଥା କରାଯାଇଥିଲା । ମନ୍ଦିର ପରିଚାଳନା କମିଟି ମନ୍ଦିର କମିଟିର ସଭାପତି ନରହରି ସାହୁଙ୍କ ତତ୍ତ୍ଵାବଧାନରେ ସମ୍ପାଦକ ସମୀର କୁମାର ସାହୁ, ଉପ ସଭାପତି ବିପିନ ବିହାରୀ ସେଠୀ, କୋଷାଧ୍ୟକ୍ଷ ସନ୍ତୋଷ ବିହାରୀ, ପରିଚାଳକ ଗୁଲଗୁଲ ସାହୁ, କମିଟି ସଦସ୍ୟ ଦୀନବନ୍ଧୁ ସାହୁ, ଖଗେଶ୍ୱର ନାୟକ, ଲକ୍ଷ୍ମଣ କୁମାର ସାହୁ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରିଥିଲେ । ଭୁବନ ଥାନା ତରଫରୁ ମନ୍ଦିର ପରିସରରେ ପୋଲିସ ମୁତୟନ କରାଯାଇ କାଉଡ଼ିଆଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ