ସାକ୍ଷିଗୋପାଳ, ୪ ଅଗଷ୍ଟ (ହି.ସ.)- ଆଜି ଶ୍ରାବଣ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ରାଜ୍ୟର ପ୍ରମୁଖ ବୈଷ୍ଣବ କ୍ଷେତ୍ର ପୁରୀ ଜିଲ୍ଲାର ସାକ୍ଷିଗୋପାଳ ମନ୍ଦିରରେ ଝୁଲଣ ଯାତ୍ରା ଆରମ୍ଭ ହୋଇଛି । ଏହା ପ୍ରତିପଦ ଯାଏ ୭ ଦିନ ଧରି ଅନୁଷ୍ଠିତ ହେବ ଅର୍ଥାତ୍ ଆସନ୍ତା ୧୦ ତାରିଖରେ ଶେଷ ହେବ । ଏନେଇ ଝୁଲଣ ମଣ୍ଡପରେ ଆକର୍ଷଣୀୟ ଅଲୋକ ସଜ୍ଜା ସାଙ୍ଗକୁ ରଙ୍ଗ ବେରଙ୍ଗର ଜରି, କାଗଜ ଓ ସୋଲରେ ପ୍ରସ୍ତୁତ ଫୁଲ, ଲତା, ସଖୀ, କୃଷ୍ଣ, ବଳରାମ, ରୋହିଣୀ, ଜସୋଦା, ଭୀମ, ଦୁଃଶାସନ ଏବଂ ପଶୁ ପକ୍ଷୀଙ୍କ ପ୍ରତିକୃତି ଏହି ଝୁଲଣ କୁଞ୍ଜରେ ସ୍ଥାନିତ କରାଯାଇଛି । ବିଭିନ୍ନ ସାଜସଜ୍ଜା ସାଙ୍ଗକୁ ସଂନ୍ଧ୍ୟାରେ ଝୁଲଣ ମଣ୍ଡପ ନିକଟରେ ଗୋଟିପୁଅ ନୃତ୍ୟ ପରିବେଷଣ ଭକ୍ତଙ୍କୁ ବିମୋହିତ କରିଛି । ସାକ୍ଷିଗୋପାଳଙ୍କ ସଂନ୍ଧ୍ୟା ଧୂପ ବେଶ ଶେଷ ହେବା ପରେ ବିଜେ ପ୍ରତିମା ମଦନମୋହନଙ୍କୁ ସିଂହାରୀ ସେବାୟତ ଝୁଲଣ କୁଞ୍ଜକୁ ବିଜେ କରିଥିଲେ । ଝୁଲଣ କୁଞ୍ଜରେ ମଦନମୋହନଙ୍କୁ ଭୋଗ, ଆଳତୀ ଓ ଉପଚାର କରାଯାଇଛି । ବଡ଼ସିଂହାର ଧୂପ ସରିବା ପରେ ବିଜେ ପ୍ରତିମା ଝୁଲଣ କୁଞ୍ଜରୁ ଫେରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ