ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା ଆରମ୍ଭ : ଶ୍ରୀମନ୍ଦିର ଓ ମଠ ମନ୍ଦିରରେ ଝୁଲଣ କୁଞ୍ଜରେ ଝୁଲିଲେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା
ପୁରୀ, ୪ ଅଗଷ୍ଟ (ହି.ସ.)- ଆଜି ଶ୍ରାବଣ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଶ୍ରୀମନ୍ଦିର ତଥା ଶ୍ରୀକ୍ଷେତ୍ରରେ ରହିଥିବା ବିଭିନ୍ନ ମଠ ମନ୍ଦିର ମାନଙ୍କରେ ମହାପ୍ରଭୁଙ୍କ ଝୁଲଣ ଯାତ୍ରା ଆରମ୍ଭ ହୋଇଛି । ଏହା ପ୍ରତିପଦ ଯାଏ ୭ ଦିନ ଧରି ଅନୁଷ୍ଠିତ ହେବ । ମଠ ମନ୍ଦିରରେ ଝୁଲଣ କୁଞ୍ଜରେ ଝୁଲିଲେ ମହାପ୍ରଭୁଙ୍କ ଚଳ
ରାଧାବଲ୍ଲଭ ମଠରେ ଝୁଲଣ ଯାତ


ପୁରୀ, ୪ ଅଗଷ୍ଟ (ହି.ସ.)- ଆଜି ଶ୍ରାବଣ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଶ୍ରୀମନ୍ଦିର ତଥା ଶ୍ରୀକ୍ଷେତ୍ରରେ ରହିଥିବା ବିଭିନ୍ନ ମଠ ମନ୍ଦିର ମାନଙ୍କରେ ମହାପ୍ରଭୁଙ୍କ ଝୁଲଣ ଯାତ୍ରା ଆରମ୍ଭ ହୋଇଛି । ଏହା ପ୍ରତିପଦ ଯାଏ ୭ ଦିନ ଧରି ଅନୁଷ୍ଠିତ ହେବ । ମଠ ମନ୍ଦିରରେ ଝୁଲଣ କୁଞ୍ଜରେ ଝୁଲିଲେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା । ସେହିପରି ଶ୍ରୀମନ୍ଦିରରେ ମଧ୍ୟ ଏନେଇ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିର ମୁକ୍ତି ମଣ୍ଡପ ସମ୍ମୁଖରେ ଆକର୍ଷଣୀୟ ଝୁଲଣ କୁଞ୍ଜ ଶୋଭା ପାଉଛି । ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ଶ୍ରୀ ମଦନମୋହନ, ଶ୍ରୀଦେବୀ ଓ ଭୂ-ଦେବୀ ଝୁଲଣରେ ବିଜେ ହୋଇ କୁଞ୍ଜ ଲୀଳା କରିଛନ୍ତି । ଶ୍ରୀମନ୍ଦିର ସମେତ ଅନ୍ୟାନ୍ୟ ସମସ୍ତ ମଠ ମନ୍ଦିରରେ ମଧ୍ୟ ଝୁଲଣ ଯାତ୍ରା ଆରମ୍ଭ ହୋଇଛି । ଶ୍ରୀମନ୍ଦିର ଝୁଲଣରେ ବିଜେ ହୋଇଛନ୍ତି ମଦନମୋହନ, ଲକ୍ଷ୍ମୀ ଓ ସରସ୍ୱତୀ । ସେହିପରି ମଠ ମାନଙ୍କରେ ସୁସଜ୍ଜିତ ଝୁଲଣ କୁଞ୍ଜରେ ବିଜେ କରିଛନ୍ତି ଶ୍ରୀରାଧାକୃଷ୍ଣ ।

ଶ୍ରୀମନ୍ଦିରରେ ଏହି ନୀତି ପାଇଁ ଭଣ୍ଡାରରୁ ରୂପା ଗିନା ଆସିଥିଲା । ଘଟୁଆରୀ ଚନ୍ଦନ ଆଣି ଯୋଗାଇଥିଲେ । ଭଣ୍ଡାର ମେକାପ ଅଳଙ୍କାର ଯୋଗାଇଥିଲେ । ମନ୍ଦିର କୋଠରୁ ମାଣ୍ଡୁଅ ଓ ଅନ୍ୟାନ୍ୟ ଜିନିଷ ମାନ ଯୋଗା ଯାଇଥିଲା । ଏହି ନୀତି ପାଇଁ ପ୍ରାୟ ୧୫ ରୁ ଉର୍ଦ୍ଧ୍ୱ ସେବକଙ୍କର ଆବଶ୍ୟକତା ପଡିଥାଏ । ଆଜି ଝୁଲଣର ପ୍ରଥମ ଦିନ ଅର୍ଥାତ ଶ୍ରାବଣ ଶୁକ୍ଳ ଦଶମୀ ତିଥିରେ ମଧ୍ୟାହ୍ନ ଧୂପ ବଢ଼ିବା ପରେ ଭିତର ଗମ୍ଭୀରରେ ପାଣି ପଡି ଧୁଆ ଯିବା ପରେ ଖୁଂଟିଆ ପୁଷ୍ପାଳକଙ୍କୁ ଡକାଯାଇଥିଲା । ଏହି ସମୟରେ ଗରାବଡୁ ସେବକଙ୍କ ଠାରୁ ହାତୁଆଣୀ ନେଇ ପୁଷ୍ପାଳକ ସେବକମାନେ ଶ୍ରୀଜୀଉମାନଙ୍କ ମଇଲମ କରିଥିଲେ । ପାଳିଆ ମେକାପ ତିନୋଟି ରୂପା ଗିନାରେ ଘଟୁଆରୀ ସେବକ ଦେଇଥିବା ଚନ୍ଦନକୁ ନେଇ ପାଳିଆ ପୁଷ୍ପାଳକଙ୍କୁ ବଢ଼ାଇଥିଲେ । ତିନି ବାଡ଼ରେ ସର୍ବାଙ୍ଗ ଚନ୍ଦନ ଲାଗି କଲାପରେ ଶ୍ରୀଜୀଉମାନଙ୍କ ବେଶ ବଢିଥିଲା । ସେବକମାନେ ରତ୍ନସିଂହାସନରୁ ଶ୍ରୀଦେବୀ ଓ ଭୂଦେବୀଙ୍କୁ ଦକ୍ଷିଣୀ ଘର ପ୍ରାଙ୍ଗଣରେ ଖଟଶେଜ ମେକାପ ପକାଇଥିବା ଶେଜ ଉପରେ ବିଜେ କରାଇଥିଲେ ଓ ଦକ୍ଷିଣୀ ଘରୁ ମଦନମୋହନଙ୍କୁ ଆଣି ବିଜେ କରାଇଥିଲେ । ଏହିଠାରେ ତିନି ଦିଅଁଙ୍କ ବେଶ କରିଥିଲେ ମହାଜନ ସେବାୟତ । ଏହାପରେ ପୂଜାପଣ୍ଡା ସେବକ ତିନି ଗୋଟି ସରାରେ ତିନି ଗୋଟି ମାଣ୍ଡୁଅ ସର୍ପାମଣୋହି ପୂର୍ବକ ଭୋଗ କରିଥିଲେ । ପରେ ଦକ୍ଷିଣୀ ଘରେ ବିରାଜିତ ସମସ୍ତ ଚଳନ୍ତି ପ୍ରତିମାଙ୍କ ନିକଟରେ ଭୋଗ ହୋଇଥିଲା । ତତ୍ପରେ ଛାମୁ ଦିହୁଡ଼ି ସହ ଶ୍ରୀଦେବୀ, ଭୂଦେବୀ ଓ ମଦନମୋହନ ରତ୍ନସିଂହାସନକୁ ବିଜେ କରିଥିଲେ । ସେଠାରେ ପୁଷ୍ପାଳକ ସେବକମାନେ ତିନି ବାଡ଼ରେ କର୍ପୁର ଲାଗି କରିବା ପରେ ସିଂହାସନରୁ ଓହ୍ଲାଇ ତିନି ବାଡ଼ରେ ସାନ୍ଧ୍ୟ ଆଳତି କରିଥିଲେ । ଏହାପରେ ଜନୈକ ପୂଜାପଣ୍ଡା ସେବକ ହାତୁଆଣି ନେଇ ମହାପ୍ରଭୁଙ୍କ ଦକ୍ଷିଣ ଭୁଜରୁ ଆଜ୍ଞାମାଳ ନେଇ ଶ୍ରୀ ମଦନମୋହନଙ୍କୁ ଓ ଉତର ଭୁଜର ଦୁଇ ଆଜ୍ଞାମାଳ ଭୂଦେବୀ ଓ ଶ୍ରୀଦେବୀଙ୍କୁ ଲାଗି କରିଥିଲେ । ତତ୍ପରେ ଛାମୁ ଦିହୁଡ଼ି ସହ ମହାଜନ ସେବକମାନେ ତିନି ଚଳନ୍ତି ପ୍ରତିମାଙ୍କୁ ହସ୍ତରେ ବିଜେ କରାଇ ଜଗମୋହନ, ବଟ ଦ୍ୱାର ଦେଇ ଝୁଲଣ ମଣ୍ଡପ ଦୋଳି ଉପରେ ବିଜେ କରାଇଥିଲେ । ଏଠାରେ ବିଡ଼ିଆ ମଣୋହି ହୋଇଥିଲା । ଭିତରେ ସନ୍ଧ୍ୟାଧୂପ ବଢ଼ିବା ପରେ ଝୁଲଣ ମଣ୍ଡପରେ ସୁଦୁ ସୁଆର ପାଣି ପକାଇବା ପରେ ଆସ୍ଥାନ ପ୍ରତିହାରୀ ଟେରା ବାନ୍ଧି ଶୀତଳ ଭୋଗ ପୂଜା ଠା କରିଥିଲେ । ତତ୍ପରେ ପାଳିଆ ପୂଜାପଣ୍ଡା ଆସି ପଂଚ ଉପଚାରରେ ପୂଜା କରିଥିଲେ । ଭୋଗ ଶେଷ ହେବା ପରେ ମୁଦିରସ୍ତ ବନ୍ଦାପନା ନୀତି ବଢ଼ାଇଥିଲେ ।

ରତ୍ନସିଂହାସନରେ ଶ୍ରୀଜୀଉଙ୍କ ଚନ୍ଦନ ଲାଗି ନୀତି ସରିବା ପରେ ଝୁଲଣ କୁଞ୍ଜରେ ମହାଜନ ମାନେ ମଇଲମ କରି ଶ୍ରୀ ମଦନମୋହନଙ୍କୁ ଦକ୍ଷିଣୀ ଘର ଓ ଶ୍ରୀଦେବୀ, ଭୂଦେବୀଙ୍କୁ ରତ୍ନସିଂହାସନକୁ ବିଜେ କରାଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande