ଜୟପୁର, 4 ଅଗଷ୍ଟ (ହି.ସ.) -ଆଜି ଶ୍ରାବଣ ମାସ ଶେଷ ସୋମବାର। ଏଥିଲାଗି ସହରର ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ପରିଲକ୍ଷିତ ହେଉଛି। ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ଭୋର ସମୟରୁ ସହର ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ବିଶେଷ ଭାବେ ପଞ୍ଚାନନ ମନ୍ଦିର, ପୁରୁଣାଗଡ଼ ନୀଳକଣ୍ଠେଶ୍ବର ମନ୍ଦିରକୁ ସହରର କୋଣଅନୁକୋଣରୁ ପାଣି ଆଣି ଆସୁଥିବା କାଉଡିଆ ତଥା ଶିବଭକ୍ତଙ୍କ ଲମ୍ୱାଧାଡି ଲାଗିଥିଲା। ଆଜି ସତୀ ନଦୀ କୁଳରେ କୁନି କାଉଡିଆଙ୍କ ଭିଡ ଜମି ଥିଲା। ମାନସିକ କରି ଏବଂ ମାନସିକ ପୂରଣ ହେବା ପରେ ପରିବାର ଲୋକେ ଶିଶୁଙ୍କୁ କାଉଡିଆ ଭାବେ ସଜାଇ ସତୀ ନଦୀକୁ ଯାଇଥିଲେ। ନଦୀର ବିଭିନ୍ନ ସ୍ଥାନରେ ବିଭିନ୍ନ କାଉଡିଆ ଦଳ ପୂଜାର୍ଚ୍ଚନା କରିବା ସହ ଜଳ ସଂଗ୍ରହ କରିଥିଲେ। ସେଠାରୁ ପ୍ରାୟ ୩ରୁ ୬କିଲୋମିଟର ବାଟ ଚାଲିଚାଲି ବିଶେଷ ଭାବେ କୁନି ଓ କାଉଡିଆମାନେ ପଞ୍ଚାନନ ଓ ନୀଳକଣ୍ଠେଶ୍ବର ମନ୍ଦିର ସହ, କପିଳେଶ୍ବର, ଭୂତନାଥ, ଝାଡେଶ୍ବର, ବୈଦ୍ୟନାଥ, ପାତାଳେଶ୍ବର, ଶକ୍ତିଶ୍ବର, ସିଦ୍ଧେଶ୍ବର, ରାମେଶ୍ବର, ଜୟପୁର ଘାଟି ସ୍ଥିତ ଅର୍ଦ୍ଧନାରୀଶ୍ବର ଆଦି ସମସ୍ତ ଶୈବପୀଠରେ ଜଳାଭିଷେକ କରିଥିଲେ। ସହର ବିଭିନ୍ନ ସ୍ଥାନରେ ସ୍ବେଚ୍ଛାସେବୀ କାଉଡିଆଙ୍କୁ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରଦାନ କରୁଥିବା ଦେଖିବାକୁ ମିଳିଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି