ଜେଲ ଗଲେ କୋଟିପତି ଏମଭିଆଇ ୬୩୦ ପ୍ରତିଶତ ଆୟ ବହିର୍ଭୁତ ସମ୍ପତ୍ତି ଠାବ
ଜେଲ ଗଲେ କୋଟିପତି ଏମଭିଆଇ ୬୩୦ ପ୍ରତିଶତ ଆୟ ବହିର୍ଭୁତ ସମ୍ପତ୍ତି ଠାବ
MVI Golapa Chandra


MVI Golap Chandra arrest by vigilance


ଜେଲ ଗଲେ କୋଟିପତି ଏମଭିଆଇ

୬୩୦ ପ୍ରତିଶତ ଆୟ ବହିର୍ଭୁତ ସମ୍ପତ୍ତି ଠାବ

ବାରିପଦା, 4 ଅଗଷ୍ଟ (ହି.ସ.)- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ କୋଟିପତି ଏମଭିଆଇ ଗୋଲାପଚନ୍ଦ୍ର ହାଁସଦା ଗିରଫ ହୋଇ ଜେଲ ଯାଇଛନ୍ତି। ଚଢ଼ାଉ ପ୍ରକ୍ରିୟା ସମ୍ପର୍ଣ୍ଣ ହେବା ପରେ ସୋମବାର ଭିଜିଲାନ୍ସ ପକ୍ଷରୁ କୋର୍ଟ ଚାଲାଣ କରାଯାଇଛି। ଏନେଇ ବାଲେଶ୍ଵର ଡିଭିଜନ ଭିଜିଲାନ୍ସ ଏସପି ଅରୁଣ କୁମାର ନାୟକ ବାରିପଦା ସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି। ତାଙ୍କ ପାଖରୁ ଆୟରୁ ୬୩୦ ପ୍ରତିଶତ ବହିର୍ଭୁତ ସମ୍ପତ୍ତି ଠାବ କରାଯାଇଛି। ଯାହାକି ୬କୋଟି ୩୫ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ସମ୍ପତ୍ତି ବୋଲି ଭିଜିଲାନ୍ସ ଏସପି ଶ୍ରୀ ନାୟକ ସୂଚନା ଦେଇଛନ୍ତି। ୧୯୯୧ ମସିହାରେ ଗୋଲାପଚନ୍ଦ୍ର ଚାକିରୀ ଆରମ୍ଭ କରିଥିଲେ। ଚାକିରୀ ମଧ୍ୟରେ ଶିଳ୍ପ ବିଭାଗକୁ ଯାଇଥିଲେ। ଚାକିରୀରେ ସମୁଦାୟ ୧କୋଟି ୧୦ ଲକ୍ଷ ଟଙ୍କା ଦରମା ପାଇଥିବା ବେଳେ ଅଧିକ ସମ୍ପତ୍ତି ୬୩୦ପ୍ରତିଶତ ରହିଛି। କଳା ଟଙ୍କାରେ ସେ ଜମି କିଣୁଥିଲେ। ସହାୟକଙ୍କ ନାମରେ ଉଚ୍ଚ ଦରରେ ଜମି କିଣି ପରେ ଅଳ୍ପ ଦରରେ ନିଜ ନାମକୁ ଆଣୁଥିଲେ। ୨୦୦୯-୧୦ ମସିହାରେ ବାରିପଦାରେ ଏମଭିଆଇ ଥିବା ବେଳେ ବର୍ତ୍ତମାନ ବୋୖଦ୍ଧ ଜିଲ୍ଲାରେ ଏମଭିଆଇ ଥିଲେ। ଚାକିରୀ ସମୟରେ ଅନେକ ଦୁର୍ନୀତିରେ ଲିପ୍ତ ଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା। ଯାହାକୁ ନେଇ ଭିଜିଲାନ୍ସ ସ୍କାନର ଥିବା ବେଳେ ରବିବାର ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଥିଲେ। ବାରିପଦା ସ୍ଥିତ ଘରୁ ୭୦୦ ଗ୍ରାମ ସୁନା, ବ୍ୟାଙ୍କ୍, ପୋଷ୍ଟଲ ଓ ବୀମା ଆକାଉଣ୍ଟରୁ ୧କୋଟି ୩୪ଲକ୍ଷ ୯ହଜାର ୧୯୩ଟଙ୍କା, ଦୁଇ ତଳ ପ୍ରସାଦ ଗୃହ, ୪୪ଟି ଜମି ପ୍ଲଟ, ନଗଦ ୨,୩୮,୭୨୫ ଟଙ୍କା, ସୁନା ୧କେଜି ସହ ୨ଟି ସୁନା ବିସ୍କୁଟ, ରୁପା ୨କିଲୋ ୧୨୬ଗ୍ରାମ, ଝିଅର ଡାକ୍ତରୀ ପଢା ଖର୍ଚ୍ଚରେ ୪୦ଲକ୍ଷ, ଗୋଟିଏ କାର, ୩ଟି ମଟର ସାଇକେଲ ଏବଂ ଘର ଆସବାବପତ୍ର ୧୬ଲକ୍ଷ ୬ହଜାର ଟଙ୍କା ଅଟେ। ଭିଜିଲାନ୍ସ ପକ୍ଷରୁ ବାଲେଶ୍ଵର ଭିଜିଲାନ୍ସ ଡିଭିଜନରେ କେଶ ନମ୍ବର ୭/୨୫ରେ ଗୋଲାପଚନ୍ଦ୍ରଙ୍କ ବିରୋଧରେ ମାମଲା ରୁଜୁ କରି ବାରିପଦା ସ୍ଥିତ ସତନ୍ତ୍ର ଭିଜିଲାନ୍ସ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା। ଏଥିପରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ ତାଙ୍କ ଜାମିନ ଆବେଦନକୁ ନା ମଞ୍ଜୁର କରିବାରୁ ତାଙ୍କୁ ବାରିପଦା ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଛି। ଆଗକୁ ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କୁ ରିମାଣ୍ଡରେ ଆଣିବା ନେଇ ସୂଚନା ମିଳିଛି। ଅନ୍ୟପଟେ ତାଙ୍କୁ ଚାକିରୀରୁ ନିଲମ୍ବିତ କରିବା ପାଇଁ ଭିଜିଲାନ୍ସ ପକ୍ଷରୁ ସୁପାରିଶ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande