ସମ୍ବଲପୁର, 4 ଅଗଷ୍ଟ (ହି.ସ.)
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ଙ୍କ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ଇଂ ରୋହିତ ପୂଜାରୀ ପ୍ରସ୍ଥାବ ଦେଇଛନ୍ତି। କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାର ରହିଥିବାରୁ ଆଉ କୌଣସି ଆଳ ରହିବା ଅନାବଶ୍ୟକ। ଯଦି ମହାରାଷ୍ଟ୍ରର କୋଲ୍ହାପୁରକୁ ହାଇକୋର୍ଟ ବେଞ୍ଚ ମିଳିପାରିବ, ତେବେ ମୂଳ ପୀଠରୁ, ୩ରୁ ୫ ଶହ କିଲୋମିଟର ଦୂର ପଶ୍ଚିମଓଡ଼ିଶାକୁ କାହିଁକି ନୁହେଁ ସେ କହିଛନ୍ତି। ଗଣମାଧ୍ୟମ ଅନୁସାରେ ମହାରାଷ୍ଟ୍ର ହାଇକୋର୍ଟଙ୍କ ଚତୁର୍ଥ ବେଞ୍ଚ କୋଲ୍ହାପୁର ଠାରେ କାର୍ଯ୍ୟକ୍ଷମ ହେବ।
ଦଶନ୍ଧି ଧରି ଆମ ଅଞ୍ଚଳର ଜନସାଧାରଣ, ବାର୍ ଆସୋସିଏସନ୍ ର ବନ୍ଧୁମାନେ, ବିଭିନ୍ନ ସଙ୍ଗଠନମାନେ ନିଜର ହକ୍ ପାଇଁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ର ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ବିଭିନ୍ନ ପ୍ରକାର ଆନ୍ଦୋଳନ ଏବଂ ଅନଶନ କରି ଆସୁଛନ୍ତି। ଯାହାକି ମାନବିକ ଦୃଷ୍ଟିରୁ ଯଥାର୍ଥ ଅଟେ। ପଶ୍ଚିମ ଓଡ଼ିଶାର ଦଶ ରୁ ଉର୍ଦ୍ଧ୍ବ ଜିଲ୍ଲା ପାଇଁ ଆଇନ କମିଶନ ଏବଂ ଜସବନ୍ତ ସିଂହ କମିଶନ ଙ୍କ ମାପକାଠି ଅନୁସାରେ ହାଇକୋର୍ଟ ବେଞ୍ଚ ହୋଇପାରିବ।
ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଅନେକ ଥର ଚିଠି ଲେଖି ପଶ୍ଚିମ ଓଡ଼ିଶାରେ ଏକ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଅନୁରୋଧ କରିଥିଲେ। ବିଜେଡି ସରକାର ସାମ୍ବିଧାନିକ ଉପାୟରେ ଏହି ଦାବି ପାଇଁ ଗମ୍ଭୀର ପ୍ରୟାସ କରିଥିଲେ। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଙ୍କ ଭଳି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏ ସଂକ୍ରାନ୍ତରେ ପଦକ୍ଷେପ ଗ୍ରହଣ କରି ପଶ୍ଚିମ ଓଡ଼ିଶାର ଜନସାଧାରଣଙ୍କ ଭାବାବେଗକୁ ସମ୍ମାନ ଦେବା କଥା ବୋଲି ଇଂ. ପୂଜାରୀ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ