ପୁରୀ, ୪ ଅଗଷ୍ଟ (ହି.ସ.)- ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ ବାୟାବର ନୂଆଗୋପାଳପୁର ପୀଡ଼ିତାଙ୍କୁ ମୁସଲିମ ରୀତିନୀତି ଅନୁସାରେ ଆଜି ପୂର୍ବାହ୍ନରେ କବର ଦିଆଯାଇଛି । ଗାଁ କବରସ୍ତାନରେ ପୀଡ଼ିତାଙ୍କୁ କବର ଦେଇଛନ୍ତି ସମ୍ପର୍କୀୟ । ପୀଡ଼ିତାଙ୍କ ଏଭଳି ଦୁଃଖଦ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ପରିବାର ଲୋକ, ଗ୍ରାମବାସୀ ଏବଂ ଅଂଚଳବାସୀ । ଆତ୍ମୀୟଙ୍କ କାନ୍ଦବୋବାଳିରେ ଫାଟି ପଡୁଥିଲା ସମଗ୍ର ଅଂଚଳ । ଶେଷ ଦର୍ଶନ ପାଇଁ ପହଂଚି ଥିଲେ ନେତା, କର୍ମୀ, ବିଭିନ୍ନ ଦଳର ପ୍ରତିନିଧି ଏବଂ ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତା । ଏହି ସମୟରେ ସେଠାରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ପୋଲିସର ସୁରକ୍ଷା ବଳୟରେ ରହିଥିଲା କବରସ୍ତାନ ।
ସକାଳେ ଇସଲାମ ଧର୍ମ ଅନୁସାରେ ନମାଜ ପାଠ ପରେ କବର ସ୍ଥାନରେ ପୀଡ଼ିତାଙ୍କୁ କବର ଦିଆଯାଇଛି । ଶୋକାକୂଳ ପରିବେଶ ମଧ୍ୟରେ ପୀଡ଼ିତାଙ୍କ ମୃତଦେହକୁ କବର ଦିଆଯାଇଛି । ପୀଡ଼ିତାଙ୍କ ଶେଷକୃତ୍ୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ସାମିଲ୍ ହୋଇଥିଲେ । ପୀଡ଼ିତାଙ୍କ ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପୀଡ଼ିତାଙ୍କ ବାପାଙ୍କୁ ଭେଟି ସମବେଦନା ଜଣାଇଥିଲେ । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏହି ସମୟରେ ଗାଁରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା ।
ପ୍ରକାଶ ଥାଉକି, ଗତ ମାସ ୧୯ ତାରିଖ ସକାଳେ ଘର ଠାରୁ କିଛି ଦୂର ନଦୀ ବନ୍ଧରେ ସମ୍ପୃକ୍ତ ୧୬ ବର୍ଷିୟା ନାବାଳିକାଙ୍କ ଶରୀରରେ କିରୋସିନି ଢାଳି କେହି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା । ପୀଡ଼ିତାଙ୍କ ଶରୀରର ୭୦ ପ୍ରତିଶତ ପୋଡି ଯାଇଥିଲା । ପୀଡ଼ିତାଙ୍କୁ ଦୁଃଖିଶ୍ୟାମ ସେନାପତି ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ । ପ୍ରଥମେ ପିପିଲି ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ଏମ୍ସ ଏବଂ ପରେ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ୨ ତାରିଖ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ