ଭଦ୍ରକ, ୪ ଅଗଷ୍ଟ (ହି.ସ.) - ଶ୍ରାବଣ ୪ର୍ଥ ସୋମବାରରେ ଆରଡିପୀଠର ବାବା ଆଖଣ୍ଡଳମଣିଙ୍କୁ ଜଳାଲାଗି କରିବା ପାଇଁ ୨୦ ହଜାରରୁ ଉର୍ଦ୍ଧ୍ୱ କାଉଡିଆଙ୍କ ଭିଡ ଲାଗିଥିଲା ପୀଠରେ। ପୀଠରେ ପ୍ରଚଳିତ ବିରଜା ପଞ୍ଜିକା ଅନୁଯାୟୀ ଆସନ୍ତା ସୋମବାର ଶେଷ ପାଳି ଭାବେ ପାଳନ କରାଯିବ। ହେଲେ ପୂର୍ଣ୍ଣିମା ଅନୁଯାୟୀ ଚଳିତ ସୋମବାର ଶେଷ ପାଳି ହୋଇଥିବାରୁ ରବିବାର ମଧ୍ୟରାତ୍ରରୁ ସୋମବାର ସଂଧ୍ୟା ଯାଏଁ ଧାଡ଼ିରେ ଯାଇ ହଜାରହଜାର କାଉଡ଼ିଆ ଭକ୍ତ ବାବାଙ୍କ ପାଖରେ ଜଳଲାଗି କରିଥିଲେ। ଅଗଣିତ କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି ଉଭୟ ଜିଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ରବିବାର ଠାରୁ ପୀଠରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବାବେଳେ ଭଦ୍ରକ ଏସପି ମନୋଜ ରାଉତ ସ୍ଥିତି ପରକ୍ଷିଥିଲେ। ସେହିପରି ପୀଠରେ ଥିବା ୩ଟି ନଦୀଘାଟରେ ଯେପରି ସୁରକ୍ଷିତ ଭାବେ କାଉଡିଆମାନେ ନଦୀ ପାର ହୋଇ ଆସିବେ ସେଥିପାଇଁ ନଦୀଘାଟର ଉଭୟ ପାର୍ଶ୍ୱରେ ଓଡ୍ରାଫଟିମ ଓ ଅଗ୍ନିଶମ ବାହିନୀଙ୍କୁ ନିୟୋଜିତ କରାଯାଇଥିଲା। ଡଙ୍ଗାରେ ଅଧିକ ସଂଖ୍ୟକ କାଉଡିଆ ପାରି ନକରିବାକୁ ୬ଜଣ ଅଧିକାରୀଙ୍କ ସହ ୫ପ୍ଲାଟୁନ ପୋଲିସି ଫୋର୍ସ ମୁତୟନ କରାଯାଇଥିଲା। ଏପଟେ ସ୍ଥଳପଥରେ କଡ଼ା ସୁରକ୍ଷାରେ ବ୍ୟବସ୍ଥା ସହ ଟ୍ରାଫିକ ବ୍ୟବସ୍ଥା କଡାକଡି କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ