ସମ୍ବଲପୁରର ମହାନଦୀ କୂଳରେ ପୂଜା ପାଉଛନ୍ତି ସୋମନାଥ
ସମ୍ବଲପୁରର ମହାନଦୀ କୂଳରେ ପୂଜା ପାଉଛନ୍ତି ସୋମନାଥ
ସମ୍ବଲପୁରର ମହାନଦୀ କୂଳରେ ପୂଜା ପାଉଛନ୍ତି ସୋମନାଥ


ସମ୍ବଲପୁର, 4 ଅଗଷ୍ଟ (ହି.ସ.)ଚିତ୍ରୋତ୍ପଳା ମହାନଦୀ, ମାଳତି ଓ ହରଡ଼ ଜଳାଧାର ସହିତ ଜଙ୍ଗଲ ପରିବେଷ୍ଠିତ ଐତିହାସିକ ସମ୍ବଲପୁର ସହରରେ ଅନେକ ମନ୍ଦିର ରହିଛି। ବିଶେଷ କରି ନଦୀ କୂଳ ର ବିନଖଣ୍ଡି ଠାରୁ ଦୁର୍ଗାପାଲି ପର୍ଯ୍ୟନ୍ତ ବୈଷ୍ଣବ, ଶୈବ ଏବଂ ଶକ୍ତି ଧର୍ମଧାରାର ଉପାସନା ପୀଠ ସମୁହ ନିର୍ମାଣ କରାଯାଇଛି। ନଦୀ କୂଳରେ ଏହି ମନ୍ଦିର ଶୁଙ୍ଖଳା ଗଙ୍ଗା କୂଳର ବାରାଣସୀ ର ଅନୁଭବ ପ୍ରଦାନ କରିଥାଏ। ଏହି ଶୁଙ୍ଖଳା ମଧ୍ୟରୁ ବାଲିବନ୍ଧା ସ୍ଥିତ ସୋମେଶ୍ୱର ମହାଦେବଙ୍କ ମନ୍ଦିର ଅନ୍ୟତମ। ଏହା ସହରର ସର୍ବ ପୁରାତନ ଶିବାଳୟ। ଏଠାରେ ମହାଦେବ ସୋମନାଥ ନାମରେ ପୂଜା ପାଆନ୍ତି। ଏହି ମନ୍ଦିରରେ ସହର ଶୈବ ପରମ୍ପରା ଆନୁଷ୍ଠାନିକ ରୂପ ପାଇଛି। ସୋମନାଥଙ୍କ ମନ୍ଦିରରେ ଶ୍ରାବଣ ମାସ, ରାକ୍ଷୀ ପୂର୍ଣ୍ଣିମା, ଫାଲଗୁଣ ପୂର୍ଣ୍ଣିମା, ଶିବ ରାତ୍ରୀ ଓ ଜାଗର, ଦଶହରା, ଶିବ ପାର୍ବତୀଙ୍କ ବିବାହ ଓ ଶୀତଳଷଷ୍ଠୀ ଯାତ୍ରା ପ୍ରଭୃତି ପର୍ବ ପର୍ବାଣୀ ବିଧିବିଧାନ ସହକାରେ ପାଳନ କରାଯାଏ। ସେହିପରି ଏଠାରେ ଗ୍ରୀଷ୍ମ ସମୟରେ ଜଳାଭିଷେକ ଏବଂ ଜଳଶାୟୀ ଅନୁଷ୍ଠିତ ହୋଇଆସୁଛି। ମନ୍ଦିର ସମ୍ମୁଖ ଓ ମହାନଦୀ ତଟରେ ଅବସ୍ଥିତ ପୁଷ୍କରିଣୀ ରେ ବେଶ କିଛିବର୍ଷ ଧରି ଚନ୍ଦନ ଯାତ୍ରା ଆୟୋଜନ କରାଯାଇଥିଲା। ଯେଉଁଥିରେ ସୋମନାଥଙ୍କ ଚଳନ୍ତି ପ୍ରତିମା ନୌ ବିହାର ରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଥିଲେ। ତେବେ ୧୯୮୨ ବନ୍ୟା ପରେ ଏହି ପୋଖରୀ ଟି ବିଲୀନ ହେବା ପରେ ଚନ୍ଦନ ଯାତ୍ରା ଆୟୋଜନ କରାଯାଇପାରୁନାହିଁ। ହେଲେ କିଛି ବର୍ଷ ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିର ପାର୍ଶ୍ଵରେ ଥିବା ଛତ୍ର ସାଗର ପୁଷ୍କରିଣୀର ପୁନରୁଦ୍ଧାର କରାଯାଇଛି। ମନ୍ଦିର ବେଢାରେ ପ୍ରସ୍ଥରର ଗଣେଶ, କାର୍ତିକ, ସରସ୍ୱତୀ, ହନୁମାନ ଏବଂ ଗମ୍ଭୀରା଼ ପୂର୍ବରୁ ଗଣେଶ ଓ ସରସ୍ୱତୀଙ୍କ ଅଷ୍ଟଧାତୁ ଙ୍କ ବିଗ୍ରହ ଆସୀନ ହୋଇଛନ୍ତି। ଭିତର ବେଢାରେ ଅଷ୍ଟଧାତୁ ର ନନ୍ଦିଙ୍କ ମୂର୍ତ୍ତି ରହିଛନ୍ତି।

ବାହାର ବେଢାରେ ହିଁ ଭୈରଵୀ ମନ୍ଦିର ରହିଛି। ଭୈରବୀଙ୍କ ମନ୍ଦିର ପାଖରେ ଅଷ୍ଠ।ଦଶ ଶତାବ୍ଦୀ ର ଶେଷ ଭାଗରେ ସମ୍ବଲପୁର ରେ ପ୍ରଥମ କରି ସାର୍ବଜନୀନ ମୃଣ୍ମୟୀ ଦୁର୍ଗା ପୂଜା ଆରମ୍ଭ ହୋଇଥିଲା। ଯାହାକି ଅଦ୍ୟାବଧି ଜାରିରହିଛି। ଶ୍ରାବଣ ମାସରେ ଭକ୍ତ ମାନେ ଏଠାରେ ମହାନଦୀ ରୁ ଜଳ ସଂଗ୍ରହ କରି ସୋମନାଥ ଙ୍କୁ ପୂଜା କରିବା ପରେ ଦୁରଦୂରାନ୍ତ ଶିବାଳୟ ମାନଙ୍କୁ ଯାତ୍ରା କରିଥାଆନ୍ତି। ପରିଚାଳନା ସକାଶେ ଟ୍ରଷ୍ଟ ରହିଛି। ଏହାର ତତ୍ଵାବଧାନରେ ମନ୍ଦିର ର ସାମ୍ନା ପାର୍ଶ୍ଵରେ ଶ୍ରୀ ଗଣେଶଙ୍କ ମୁଗୁନି ପଥରର ସୁଉଚ୍ଚ ମୂର୍ତ୍ତି, ଏକ ମଞ୍ଚରେ ନବଗ୍ରହଙ୍କ ମୂର୍ତ୍ତି ଏବଂ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ପୂଜା ପାଉଛନ୍ତି। ପାଚେରୀ ବାହାରେ ତ୍ରିନାଥ, ହନୁମାନ ଏବଂ ଶନିଶ୍ଚର ଙ୍କ ଆସ୍ଥାନ ରହିଛି।

କିମ୍ବଦନ୍ତି ଅନୁସାରେ ତୃତୀୟ ରାଜା ବଳଭଦ୍ର ଦେଓ ଜଣେ ଶୈବ ଉପାସକ ଥିଲେ। ସେ ରାଜଧାନୀ ସମ୍ବଲପୁର ରେ ଥିବା ବେଳେ ପ୍ରତ୍ୟହ ଶିବଙ୍କ ପୂଜା ପରେ ଜଳ ଗ୍ରହଣ କରୁଥିଲେ। ଏଥିପାଇଁ ସେ ପ୍ରତିଦିନ ପ୍ରତ୍ୟୁଷରେ ସହର ଠାରୁ ଚାରୀ ମାଇଲ ଦୂର ମାନେଶ୍ଵର ସ୍ଥିତ ମାନ୍ଧାତା ମହାଦେବଙ୍କୁ ଦର୍ଶନ ପାଇଁଯାଉଥିଲେ। ଥରେ ମାନେଶ୍ଵର ଓ ସହର ମଝିରେ ଥିବା ମାଳତି ନଦୀରେ ପ୍ରବଳ ବନ୍ୟା ଏବଂ ଏହାର ଜଳସ୍ତର ବୃଦ୍ଧି ପାଇଥିଲା। ଫଳରେ ରାଜା ନଦୀ କୂଳରେ ଶିବିର ପକାଇ ସାରାରାତି ନଦୀ ସ୍ୱଭା୍ବିକ ହେବାକୁ ଅପେକ୍ଷା କରିରହିଲେ।

ହେଲେ ମାଳତି ନଦୀର ଜଳସ୍ତର କମିନଥିଲା। ଦର୍ଶନ ରୁ ବଞ୍ଚିତ ରାଜା ଙ୍କ ସମୟରେ ପରେ ସମ୍ବଲପୁର ସହରର ମହାନଦୀ କୂଳ ବାଲିବନ୍ଧା ଠାରେ ୧୫୯୪ ରୁ ୧୬୨୦ ମଧ୍ୟରେ ସୋମନାଥ ମହାଦେବଙ୍କ ମନ୍ଦିର ନିର୍ମାଣ କରାଯାଇଥିଲା। ତତ୍କାଳୀନ ସମ୍ବଲପୁର ଗଡ଼ ର ଦ୍ୱାର ରେ ଏହି ମନ୍ଦିର ରହିଛି। ସୂଚନା ଯୋଗ୍ୟ ଯେ, ଚୌହାନ ଶାସନ ସମୟରେ ଅବିଭକ୍ତ ସମ୍ବଲପୁର ରେ ଅଷ୍ଠଶମ୍ଭୁ ମନ୍ଦିର ନିର୍ମାଣ କରାଯାଇଥିଲା। ମାନେଶ୍ଵରର ମାନ୍ଧାତା ମନ୍ଦିର ତଂମଧ୍ୟରୁ ଅନ୍ୟତମ। ମାନ୍ଧାତା ବାବାଙ୍କ ମନ୍ଦିର ର ଫଟକରେ ଏହି ମନ୍ଦିର ସହିତ ସୋମନାଥ ଙ୍କ ମନ୍ଦିର ସହିତ ସମ୍ପର୍କ ଖୋଦିତ ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande