କେନ୍ଦୁଝର, ୪ ଅଗଷ୍ଟ (ହି.ସ.)-
ଜିଲ୍ଲା କ୍ରୀଡ଼ା ସଂସଦ ଓ ଜିଲ୍ଲା ଶିକ୍ଷା ବିଭାଗର ମିଳିତ ଆନୁକୁଲ୍ୟରେ ରାଜ୍ୟ ସ୍ତରୀୟ କବାଡି ରେଫରୀ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦୁଝର ସମେତ ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ, କଟକ, ସମ୍ବଲପୁର, ସୁନ୍ଦରଗଡ଼, ଗଞ୍ଜାମ, କୋରାପୁଟ, ଦେବଗଡ଼, ବୌଦ୍ଧ, ସୋନପୁର, ଅନୁଗୁଳ, ଝାରସୁଗୁଡ଼ା, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ, ଢେଙ୍କାନାଳ, ଖୋର୍ଦ୍ଧା ଆଦି ବିଭିନ୍ନ ଜିଲ୍ଲାରୁ ୧୩୦ ଜଣ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରାମକୃଷ୍ଣ ବେହେରାଙ୍କ ସଂଯୋଜନା ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ସହକାରୀ ନିର୍ଦ୍ଦେଶକ, ଶାରୀରିକ ଶିକ୍ଷା ନିର୍ଦ୍ଦେଶାଳୟ ଜ୍ୟୋତି ପ୍ରସାଦ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରାଜ୍ୟ କବାଡି ସଂଘ ସଂପାଦକ ଅଜୟ କୁମାର ବେହେରା, ଯୁଗ୍ମ ସମ୍ପାଦକ ସୂର୍ଯ୍ୟକାନ୍ତ ମହାନ୍ତି, କୋଷାଧ୍ୟକ୍ଷ ବିକ୍ରମ କୁମାର ପ୍ରଧାନ, ଡି.ଏନ୍. ହାଇସ୍କୁଲର ପ୍ରଧାନଶିକ୍ଷକ ପ୍ରବୀର କୁମାର ମହାନ୍ତି, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟପ୍ରକାଶ ରାଉତ ପ୍ରମୁଖ ମଞ୍ଚାସୀନ ଥିଲେ।
ସେହିପରି ଉଦଯାପନୀ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ମୁଖ୍ୟ ଅତିଥି, ରାଜ୍ୟ କବାଡି ସଂଘ ଉପାଧ୍ୟକ୍ଷ ପୃଥ୍ୱୀରାଜ ପଟ୍ଟନାୟକ ଓ ଜିଲ୍ଲା କ୍ରୀଡ଼ା ସଂସଦ ସମ୍ପାଦକ ଜନାର୍ଦ୍ଦନ ଦାଶ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA