ବଲାଙ୍ଗିର, ୪ ଅଗଷ୍ଟ (ହି.ସ.)- ବଲାଙ୍ଗିର ବରପାଲି ପଡ଼ା ପ୍ରଦୀପ ବେହେରାଙ୍କ ଘରେ ଦେବଧି ଦେବ ମହାଦେବ ଆବିର୍ଭାବ ହୋଇଛନ୍ତି, ତାଙ୍କର ଘର ସିମେଣ୍ଟ ଚଟାଣ ଫଟେଇ ଗତ ମଇ ୨୮ ତାରିଖ ପବିତ୍ର ଶୀତଳ ଷଷ୍ଠି ଦିନ ଅର୍ଦ୍ଧ ରାତ୍ରରେ ଲିଙ୍ଗ ଆବିର୍ଭାବ ହୋଇଛି। ଏହି ଲିଙ୍ଗ ପ୍ରତ୍ୟହ ଦିନକୁ ଦିନ ବୃଦ୍ଧି ପାଇ ବଡ ଆକାର ଧାରଣ କରୁଛି। ଏହି ଦିନ ପ୍ରଦୀପଙ୍କ ଧର୍ମପତ୍ନୀଙ୍କ ଜନ୍ମଦିନ ଥିବାରୁ ତାଙ୍କର ଝିଅ ଘର ବାଡ଼ି ପଟେ ଏକ କେକ ଲୁଚାଇ ରଖିଥିଲେ। ଠିକ୍ ରାତି ୧୨ଟା ପରେ ଏହି କେକ ଆଣିବାକୁ ଗଲାବେଳେ କ୍ଷୀର ବାହାରୁଥିବା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ, ସମଗ୍ର ଅଞ୍ଚଳ କ୍ଷୀର ବାସ୍ନା ସହିତ ଦେବାଳୟ ଭଳି ସୁଗନ୍ଧିତ ହୋଇଉଠିଥିଲା। ପ୍ରଦୀପଙ୍କ ପୁଅ ସେହି କ୍ଷୀର ଧାରକୁ ସଫା କରିବା ବେଳେ ସେଠାରେ ଗୋଟିଏ କଳା ପଥର ଆକୃତି ଛୋଟ ଲିଙ୍ଗ ବାହାରିଥିଲା। ବିଜୁଳି ବେଗରେ କଥା ରାଷ୍ଟ୍ର ହୋଇଯିବା ସହିତ ସେଠାରେ ସ୍ୱୟଂ ମହାଦେବ ଆବିର୍ଭାବ ହୋଇଥିବାରୁ ପୂଜାର୍ଚ୍ଚନା ଆରଂଭ ହୋଇ ଯାଇଥିଲା। ପରଦିନ ସକାଳ ଠାରୁ ଶ୍ରଦ୍ଧାଳୁ ନର ନାରୀ ମାନଙ୍କ ଭିଡ଼ ଲାଗି ରହୁଛି। ଶ୍ରାବଣ ମାସ ମହାଦେବଙ୍କ ମାସ ହୋଇଥିବା ଯୋଗୁଁ ପ୍ରତ୍ୟହ ଲୋକଙ୍କ ଭିଡ ଲାଗି ରହୁଛି। ଆଜି ଶେଷ ସୋମଵାର ଥିବାରୁ ଲୋକଙ୍କ ଭିଡ଼ ଅଧିକ ଥିଲା। ସନାତନ ଧର୍ମରେ ଭଗବାନଙ୍କ ସତ୍ତାକୁ ବିଶ୍ୱାସ କରାଯାଏ। ଏହି ସ୍ଥାନଟି ଦୁଇ ଘର ମଝିରେ ସଂକୀର୍ଣ୍ଣ ଗଳି ରାସ୍ତାରେ ଥିବାରୁ ଏବେ ରାସ୍ତାକୁ ବନ୍ଦ କରାଯାଇ ଲୋକ ଗଳିରେ ଯାଇ ଦର୍ଶନ ପରେ ଫେରୁଛନ୍ତି। ଘର ପଛପଟେ ଗୋଟାଏ ଫାଟ କରାଯାଇ ବାଟ ହୋଇଥିବାରୁ ଘର ଲୋକେ ସେହି ବାଟରେ ଯିବା ଆସିବା କରୁଛନ୍ତି। ବାସଗୃହ ଥିବା ଏହି ସ୍ଥାନ ମନ୍ଦିର କରିବା ସମ୍ଭବ ହେଉ ନଥିବାରୁ ଚିନ୍ତାରେ ଘର ମାଲିକ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ