କେନ୍ଦୁଝର, ୪ ଅଗଷ୍ଟ (ହି.ସ.)- ବେଆଇନଭାବେ ହାତୀଦାନ୍ତ ରଖିବା ଏବଂ ବ୍ୟବସାୟରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ୨ ତାରିଖ ରାତିରେ ପାଟଣା ରେଞ୍ଜ ଅନ୍ତର୍ଗତ ମଲିପୋଷି ବିଟ୍ ଅନ୍ତର୍ଗତ ଏରେଣ୍ଡେଇ ଗ୍ରାମ ଏବଂ ଏହାର ଆଖପାଖରେ କେନ୍ଦୁଝର ଏସପିଙ୍କ ନିର୍ଦେଶକ୍ରମେ ପାଟଣା ବନ ବିଭାଗ ଏବଂ ପୁଲିସ ମିଳିତ ଭାବେ ଚଢ଼ଉ କରି ଅଭିଯୁକ୍ତ ଦ୍ଵୟଙ୍କୁ ଗିରଫ କରିଛି। ରାତି ପ୍ରାୟ ୧୦ଟା ବେଳେ ଜଣେ ବ୍ୟକ୍ତି ଏକ ବ୍ୟାଗ ସହିତ ସନ୍ଦେହଜନକ ଭାବେ ବୁଲୁଥିବା ଚଢ଼ଉ ଦଳଙ୍କ ନଜରରେ ପଡ଼ିଥିଲା । ବ୍ୟାଗ ତନଖି ପରେ ସେଥିରୁ ଦୁଇଟି ହାତୀଦାନ୍ତ ଏବଂ ପରେ ଗୋଟିଏ ଦାନ୍ତ ଜବତ ହୋଇଥିଲା। ପଚରାଉଚୁରା ପରେ ସେ ମଦନ ମୋହନ ତାମୁଡ଼ିଆ, ବୟସ ୩୮, ପାଟଣା ପୁଲିସ ଷ୍ଟେସନ ଅନ୍ତର୍ଗତ ଏରେଣ୍ଡେଇ ଗ୍ରାମର ବୋଲି ପରିଚୟ ଦେଇଥିଲା । ଗତ ରଜ ସମୟରେ କେନ୍ଦୁଝର ଜିଲାର ସୋସୋ ଥାନା ଅନ୍ତର୍ଗତ ହଦଗଡ଼ ଗ୍ରାମର ରଥ ସୋରେନ ଏହି ଦାନ୍ତ ଯୋଗାଇଥିଲା। ବନ୍ୟପ୍ରାଣୀ ସୁରକ୍ଷା ଆଇନର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମଦନ ଓ ରଥଙ୍କୁ ଗିରଫ କରାଯାଇଛି।
କେନ୍ଦୁଝର ବନଖଣ୍ଡ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସହକାରୀ ବନ ସଂରକ୍ଷକ ଅଶୋକ ଦାସ, ସୁଦୀପ୍ତ ପଣ୍ଡା ଓ ଡିଏସପି ସୌରଭ ପ୍ରଧାନ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA