ଧର୍ମଶାଳା,୪ଅଗଷ୍ଟ(ହି.ସ.) - ବିଦ୍ୟାଳୟମାନରେ ଗଣାତ୍ମକ ଶିକ୍ଷାର ବିକାଶ ନିମନ୍ତେ ସରକାର ବିିଭିନ୍ନ ଯୋଜନ କରି ଳକ୍ଷଲକ୍ଷ ଟଙ୍କା ବ୍ୟୟବରାଦ କରୁଛିନ୍ତି । ଅନ୍ୟପକ୍ଷରେ ମଧ୍ୟାହ୍ନ ଭୋଜନରେ ଉନ୍ନତମାନର ଖାଦ୍ୟ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଚନ୍ତି । କିଛି ଶିକ୍ଷା କର୍ମଚାରୀଙ୍କ ଦାୟିତ୍ୱ ହୀନତା ଯୋଗୁଁ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ନେଇ ଛାତ୍ରଛାତ୍ରୀ ଓ ଅବିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ରସୁଲପୁର ବ୍ଲକ ମହେଶ୍ୱରପୁର ପଂଚାୟତ ନୋଡାଲ ବିଦ୍ୟାଳୟରେ । ବିଦ୍ୟାଳୟରେ ମଧ୍ୟାହ୍ନରେ ଅତି ନିମ୍ନମାନର ଖାଦ୍ୟ କୋମଳମତି ଶିଶୁମାନଙ୍କୁ ଦିଆ ଯାଉଥିବା ନେଇ ଛାତ୍ରଛାତ୍ରୀ ଓ ଅବିଭାବକ ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ଯାହାକୁ ନେଇ ନିକଟରେ ପ୍ରଶାସନିକ ସ୍ତରରେ ଅଭିଯୋଗ କରାଯିବ ବୋଲି ଅବିଭାବକମାନେ ପ୍ରକାଶ କରିଛନ୍ତି । ଏହି ବିଦ୍ୟାଳୟରେ ଶିଶୁବାଟିକାରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୩୮୮ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ସେମାନଙ୍କ ମଧ୍ୟରୁ ଶିଶୁ ବାଟିକାରେ ୨୧ଜଣ,୧ମ ଶ୍ରେଣୀରେ ୧୨,୨ୟ ଶ୍ର୍ରେଣୀରେ ୩୪ଜଣ,୩ୟ ଶ୍ରେଣୀରେ ୫୫,୪ର୍ଥ ଶ୍ରେଣୀରେ ୪୫ ଜଣ,୫ମ ଶ୍ରେଣୀରେ ୫୪ଜଣ,୬ଷ୍ଠ ଶ୍ରେଣରେ ୫୯ଜଣ,୭ମ ଶ୍ରେଣୀରେ ୬୨ ଜଣ ଓ ୮ମ ଶ୍ରେଣୀରେ ୪୬ଜଣ ଛାତ୍ରଛାତ୍ରୀ ପାଠପଢୁଛନ୍ତି । ଏହି ବିଦ୍ୟାଳୟଟି ୧୯୬୨ ମସିହାରୁ ସ୍ଥାପିତ ହୋଇଥିବା ବେଳେ ରସୁଲପୁର ଶିକ୍ଷା ମଣ୍ଡଳର ସର୍ବାଧିକ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଜଣାପଡିଛି । ଏତେ ସଂଖ୍ୟକ ପିଲା ଏହି ବିଦ୍ୟାଳୟରେ ଥିବା ସତ୍ୱେ ଜିଲା ଶିକ୍ଷା ବିଭାଗ ପକ୍ଷରୁ ଅଣଦେଖା କରାଯିବା ଅଭିଯୋଗ ହୋଇଛି । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଅନୁପାତରେ ଶିକ୍ଷକ ନ ଥିବା ବେଳେ ଶ୍ରେଣୀ ଗୃହର ଅଭାବ ଓ ବିନା ସୁରକ୍ଷାବଳୟରେ ରହିଛି । ୯୯ ପ୍ରତିଶତ ଛାତ୍ରଛାତ୍ରୀ ସଂଖ୍ୟାଲଘୁ ସମ୍ପ୍ରଦାୟର ହୋଇଥିଲେ ମଧ୍ୟ ବିଦ୍ୟାଳୟରେ ଉର୍ଦ୍ଧୁ ଶିକ୍ଷକ ଓ ଉର୍ଦ୍ଧୁ ମାତୃଭାଷା ବହି ୧୦ ବର୍ଷ ହେବ ଯୋଗାଇ ଦିଆ ଯାଉନାହିଁ । ଯାହାକୁ ନେଇ ପାଠ ପଢାରେ ଘୋର ସମସ୍ୟା ଦେଖା ଦେଇଛି । ସମସ୍ୟା ଦେଇ ବିଦ୍ୟାଳୟଟି ଗତି କରୁଥିବା ବେଳେ ଅନ୍ୟପକ୍ଷେ ବିଦ୍ୟାଳୟ ପକ୍ଷରୁ ମଧ୍ୟାହ୍ନ ଭୋଜନରେ ବ୍ୟାପକ ଅନିୟମିତତା କରାଯାଇଥିବା ବେଳେ ଛାତ୍ରଛାତ୍ରୀଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଛି । ଅସିଝା ଓ ପାଣିଆ ଡାଲି , ଡାଲମା,ସୋୟା ତରକାରୀ ପରିବେଷଣ କରା ଯାଉଥିବା ଛାତ୍ରଛାତ୍ରୀମାନେ ପ୍ରକାଶ କରିଛନ୍ତି । ଏନେଇ ସେମାନେ ପରିବାର ଲୋକଙ୍କୁ ଜଣାଇବା ପରେ ଅବିଭାବକ ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି ।
ମୋ ଦେହ ଅସୁସ୍ଥ ରହିଛି । ମଧ୍ୟାହ୍ନ ଭୋଜନ ଦାୟିତ୍ୱ ନେଇଥିବା ଶିକ୍ଷକ ସବୁ କଥା ବୁଝୁଛନ୍ତି । ସବୁ ଦିନ ଭଲ ଖାଦ୍ୟ ଦିଆ ଯାଉଥିବା ବେଳେ ଆଜି ଟିକେ ତରକାରୀ ପାଣିଆ ହୋଇ ଯାଇଥିବା ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସାହାବୁଦ୍ଧିନ୍ ଖାଁନ କହିଛନ୍ତି ।
ମୁଁ ଏବେ ନୂଆ ଦାୟିତ୍ୱରେ ଅଛି,ଉକ୍ତ ବିଦ୍ୟାଳୟକୁ କେବେ ପରିଦର୍ଶନରେ ଯାଇ ନାହିଁ,ମଧ୍ୟାହ୍ନ ଭୋଜନରେ ଯଦି ଅନିମୟମିତା ହୋଇଥାଏ ତେବେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବାକିଅନ୍ୟ ସମସ୍ୟାକୁ ପର୍ଯ୍ୟାୟ କ୍ରମେ ସମାଧାନ କରାଯିବ ବୋଲି ରସୁଲପୁର ବ୍ଲକ ଶିକ୍ଷା ଅଧିକାରୀ ସୁଦର୍ଶନ ମଲ୍ଲିକ ତାଙ୍କ ପ୍ରତିକ୍ରୀୟାରେ କହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ