ଭୁବନେଶ୍ୱର, 4 ଅଗଷ୍ଟ (ହି.ସ.)
- ଆରମ୍ଭ ହେଲା
ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ର । ପ୍ରବାସୀ ଓ ସେମାନଙ୍କ ପରିବାର ପାଇଁ ଖୋଲା ହୋଇଛି
ଟୋଲ ଫ୍ରି ନମ୍ବର । ପ୍ରାଥମିକ ପର୍ଯ୍ୟାୟରେ ଗଞ୍ଜାମ ଓ କେନ୍ଦ୍ରାପଡା ଜିଲ୍ଲା ପାଇଁ ଆରମ୍ଭ
ହୋଇଛି ଏହି ସେବା । ଆଜି କୃଷି ଭବନ ଠାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଫ୍ଲାଗ ଅଫ କରି
ଏହାର ଶୁଭାରମ୍ଭ କରିଛନ୍ତି । ୟୁଏନ ମାଇଗ୍ରେସନ, ଏଇଡ଼ ଏଟ ଆକ୍ସନ ଓ ମାଇଗ୍ରେସନ ମଲ୍ଟି ପାର୍ଟନର ଟ୍ରଷ୍ଟ ଫଣ୍ଡର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ
ଆରମ୍ଭ ହୋଇଛି । ସାଧାରଣତଃ ଚାଷ କାମ ସରିବା ପରେ ରାଜ୍ୟ ଓ ଦେଶ ବାହାରକୁ ଯାଉଥିବା ଶ୍ରମିକ
ମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ସେମାନଙ୍କ ମାନସିକ ଚାପ ମଧ୍ୟ ବଢିଥାଏ ।
ଏଥିପାଇଁ ବିଭିନ୍ନ ସମୟରେ ସହଯୋଗର ଆବଶ୍ୟକତା ପଡ଼ିଥାଏ। ତେଣୁ ସହଯୋଗର ହାତ ବଢ଼ାଇବା ସାଙ୍ଗକୁ
ପ୍ରବାସୀ ସମସ୍ୟା ଦୂର କରିବା ଦିଗରେ ପଦକ୍ଷେପ ନେବାକୁ ଏହି ଭ୍ରାମ୍ୟମାଣ ସାଧନ କେନ୍ଦ୍ର
ସାହାଯ୍ୟ କରିବ ବୋଲି ଆଶା ରଖିଛନ୍ତି ରାଜ୍ୟ ସରକାର । ପ୍ରଥମ ଫସଲ ଉତ୍ପାଦନ ପରେ ଚାଷୀ ମାନେ
ଦ୍ଵିତୀୟ ଚାଷ କଣ କରିବେ ଚିନ୍ତା କରିପାରୁ ନାହାନ୍ତି । ଯେଉଁଥିପାଇଁ ବାହାରକୁ ଯାଇ କାମ
କରିବାକୁ ପସନ୍ଦ କରୁଛନ୍ତି। କୃଷି ହିଁ ଏହି ସମସ୍ୟାର ସମାଧାନ କରିପାରିବ ତେଣୁ ଆଗକୁ ସେ ଦିଗକୁ
ଧ୍ୟାନ ଦେଇ ସମସ୍ତ ଚେଷ୍ଟା କରାଯାଉଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ କେ ଭି ସିଂ ଦେଓ । ସେ
ଆହୁରି ମଧ୍ୟ କହିଛନ୍ତି ଯେ ବଲାଙ୍ଗୀର ଜିଲ୍ଲାରେ ସର୍ବାଧିକ ପ୍ରବାସୀ ଶ୍ରମିକ ରହିଛନ୍ତି ତେଣୁ
ଆଗକୁ ସେଠାରେ ମଧ୍ୟ ଏଭଳି ବ୍ୟବସ୍ଥା ଦ୍ୱାରା ସମାଧାନ ପାଇଁ ଚେଷ୍ଟା କରାଯିବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା