ଧର୍ମଶାଳା, ୪ ଅଗଷ୍ଟ(ହି.ସ.) -ପୁଲିସର ଅପାରଗତ ଯୋଗୁଁ ଧର୍ମଶାଳା ଥାନା ଅଂଚଳରେ ଦିନକୁ ଦିନ ଚୋରି ବଡିବାରେ ଲାଗିଛି । ଗତ ଦୁଇ ଦିନ ତଳେ ଏହି ଥାନା ନାକପୋଲ ଅଂଚଳରୁ ଜୈନକ ବ୍ୟକ୍ତିଙ୍କ ଘରୁ ଚୋର କଳାକନା ବୁଲାଇଥିବା ବେଳେ ଗତକାଲି ରାତିରେ ପୁଣି ଏହି ଥାନା କୁମାରୀ ଅଂଚଳର ଜଣକ ଘରେ ରାତିରେ ଚୋର ପଶି କଳାକନା ବୁଲାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସୂଚନା ମୁତାବକ ଏହି ଥାନା କୁମାରୀ ଗ୍ରାମରେ ରହୁଥିବା ଅବସରପ୍ରାପ୍ତ ଭିଏଲଡବ୍ଲୁଙ୍କ ଘରେ ଗତକାଲି ରାତିରେ ଦୃବୁର୍ତମାନେ ପଶି ଲକ୍ଷାଧିକ ଟଙ୍କାର ସୁନାଗହଣା ସହିତ ୪୦ହଜାରରୁ ଉର୍ଦ୍ଧ ଟଙ୍କା ଲୁଟି ନେଇଛନ୍ତି। ଅଭିଯୋଗ ପାଇ ଧର୍ମଶାଳା ପୁଲିସ ଆଇନକୁ ଆଖିଠାର ମାରିବା ସଦୃଶ୍ୟ ନାମକୁ ମାତ୍ର ସାଇନିଟିଫିକ ଟିମ ଓ ସନ୍ଧାନୀ କୁକୁର ନେଇ ଘଟଣାସ୍ଥଳରେ ତଦନ୍ତ କରିଛି । ହେଲେ ସବୁଥର ଭଳି ଏଥର ମଧ୍ୟ ଫଳ ସୂନ ବୋଲି ଜଣାପଡିଛି । କୁମାରୀ ଗ୍ରାମର ଅବସରପ୍ରାପ୍ତ ଭିଏଲଡବ୍ଲୁ କୃଷ୍ଣଚନ୍ଦ୍ର ବେହେରା ଓ ତାଙ୍କ ପରିବାର ରବିବାର ରାତିରେ ଖାଇସାରି ଶୋଇବାକୁ ଯାଇଥିଲେ। ଯେଉଁ କୋଠରୀରେ ଆଲମିରା, ଟଙ୍କା ଓ ସୁନା ଅଳଙ୍କାର ରହିଥିଲା, ସେ ଘରେ କେହି ଶୋଇନଥିଲେ। ବିଳମ୍ବିତ ରାତିରେ ଦୃବୁର୍ତମାନେ ଘରେ ପଛ ପଟେ ଥିବା ଝରକା ଗ୍ରିଲ ଭାଙ୍ଗି ଘରେ ପ୍ରବେଶ କରିଥିଲେ। ଏବଂ ଘରର ଭିତର ପଟରୁ କବାଟ ବନ୍ଦ କରି ଆଲମିରା ଖୋଲି ନଗଦ ୨୦ହଜାର ଟଙ୍କା ସହିତ ୨ଟି ସୁନାଚେନ, ୨ଟି ସୁନାହାର, ୫ଟି ସୁନାମୁଦୀ, ୨ଟି ଘଂଟା, ଏଟିଏମ କାର୍ଡ ଓ ତାଙ୍କ ଝିଅ ରଶ୍ମିରେଖା ବେହେରା ରଖି ଥିବା ୨୦ହଜାର ଟଙ୍କା, ୪ହଳ କାନଫୁଲ, ୫ହଳ ପାଉଁଜି, ୧ଟି ରିଙ୍ଗ କାନଫୁଲ ଲୁଟି ନେଇଛନ୍ତି। ଭୋରୁ ପରିବାର ଲୋକେ ଉଠି କବାଟ ଖୋଲିଲା ବେଳକୁ ବାହାର ପଟୁ ବନ୍ଦ ଥିଲା। ପଡୋଶୀମାନେ ଡାକ ଶୁଣି ଘରର କବାଟ ଖୋଲିବା ପରେ ଘରୁ ଚୋରି ହୋଇଥିବା ଶ୍ରୀ ବେହେରା ଜାଣି ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଆଧାର କରି ୪୬୭/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ତେବେ ଧର୍ମଶାଳା ଥାନା ଅଂଚଳରେ ଏଭଳି ବାରମ୍ବାର ଚୋରୀ ହେଉଥିବା ବେଳେ ପୁଲିସ ଅଦ୍ୟାବଧି କାହାରିକୁ ଧରିବାରେ ସଫଳ ନହେବା ଫଳରେ ଚୋରଙ୍କ ମନବଳ ବୃଦ୍ଧି ପାଇବା ସଙ୍ଗେ ସେମାନେ ଗୋଟିଏ ପରେ ଗୋଟି କାଣ୍ଡ ଘଟାଇ ଚାଲିଛନ୍ତି । ପୁଲିସର ନିସ୍କ୍ରିୟତାକୁ ସାଧାରଣରେ ନାପସନ୍ଦ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ